ଆଧୁନିକତା ସହ ତାଳ ଦେଇ ଚାଲିଛି ମଣିଷ । ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଲୋକଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆଣିବା ସହ ମଣିଷର ପ୍ରଗତିକୁ ସହଜ କରିଛି । ଏଣିକି ଇଣ୍ଟରନେଟ ଚଲାଇବା ପାଇଁ ଆଉ ସିମ୍ ବା ନେଟଓ୍ବର୍କର ଅପେକ୍ଷା କରିବାକୁ ପଡିବ ନାହିଁ । ବିନା ସିମରେ ଫୋନରେ ଚାଲିବ ଇଣ୍ଟରନେଟ୍ । ବର୍ତ୍ତମାନ ସମୟରେ ଲୋକେ ଖବର ଜାଣିବା ପାଇଁ ସୋସିଆଲ ମିଡିଆ ଉପରେ ବେଶ ନିର୍ଭରଶୀଳ । ଯାହାର କାରଣ ହେଉଛି ଫୋନ୍ । ଅଜିକାଲି ପ୍ରାୟ ସମସ୍ତଙ୍କ ହାତରେ ଖଣ୍ଡେ ଫୋନ ଥିବା ନିଷ୍ଚିତ । ଯାହା ଫଳରେ ସେମାନେ ନିଜର ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର କରିବାରେ ସାରୁଛନ୍ତି । ଖୁବ୍ ଶୀଘ୍ର ବଜାରରେ ଏକ ଭିନ୍ନ ଟେକନୋଲୋଜି ଥିବା ନୂଆ ସ୍ମାର୍ଟ ଫୋନ୍ ମିଳିବା ନେଇ ଏକ ଖବର ପ୍ରସାରଣ ହେବାରେ ଲାଗିଛି । ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କଙ୍କ ଇଲେକଟ୍ରୋନିକ୍ କାର ନିର୍ମାଣକାରୀ କମ୍ପାନୀ ଟେସଲା ନୂଆ ଫୋନ୍ ବଜାରରେ ଉପଲବ୍ଧ କରିବାକୁ ଯାଉଛି । ବିନା ସିମରେ ଏହି ଫୋନରେ ହାଇସ୍ପିଡ୍ ଇଣ୍ଟରନେଟ୍ ଚାଲିବା ସହ ସୂର୍ଯ୍ୟ କିରାଣରେ ଏହି ଫୋନ୍ ଚାର୍ଜ ହୋଇପାରିବ ବୋଲି ଅନେକ ସୋସିଆଲ ମିଡିଆ ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କିନ୍ତୁ ବାସ୍ତବରେ ଏଲନ ମସ୍କ କିମ୍ବା ତାଙ୍କ ଇଲେକଟ୍ରୋନିକ୍ କାର୍ ନିର୍ମାଣକାରୀ କମ୍ପାନୀ ଟେସଲା ପକ୍ଷରୁ ଟେସଲ ପାଇ ଫୋନ୍ ଲଞ୍ଚ ହେବା ନେଇ କୌଣସି ସୂଚନା ନାହିଁ । ଟେସଲା କମ୍ପାନୀ ଇଲେକ୍ଟ୍ରିକ୍ କାର୍ ସାଙ୍ଗକୁ ସୋଲାର ପ୍ୟାନେଲ୍ ତିଆରି କରୁଛି, ସେଥିପାଇଁ ଏଭଳି କଥାରେ ବିଶ୍ୱାସ କରିବା ସ୍ୱଭାବିକ ଯେ, ଟେସଲା ପାଇ ଫୋନରେ ଚାର୍ଜର ଆବଶ୍ୟକତା ନାହିଁ ଏବଂ ଏହା ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହେବ । ଦ୍ୱିତୀୟ କଥା ହେଲା ଇଣ୍ଟରନେଟ୍, ଆମେରିକା, ଜର୍ମାନ, ଫ୍ରାନ୍ସ ଏବଂ କାନାଡା ଆଦି ଦେଶକୁ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଜରିଆରେ ଇଣ୍ଟରନେଟ୍ ଯୋଗାଉଛି । ସେହିପରି ଭାବେ ଭାଇରାଲ ଖବର ମୁତାବକ, ପାଇ ଫୋନ ବିନା ସିମରେ ଇଣ୍ଟରନେଟ ଚାଲିବ ବୋଲି ସମସ୍ତେ ବିଶ୍ୱାସ କରୁଛନ୍ତି । ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଫୋନ୍ ନିର୍ମାଣ କ୍ଷେତ୍ରରେ ମସ୍କ ପ୍ରବେଶ କରିବେ ବୋଲି ଏକ ସାକ୍ଷାତକାରରେ କହିଥିଲେ । କିନ୍ତୁ ଏବେସୁଦ୍ଧା ଫୋନ ନିର୍ମାଣ କରିବା କଥା ତାଙ୍କ ମନକୁ ଆସି ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ଯେଉଁ ଉନ୍ନତ ଟେକନୋଲୋଜିର ଫୋନ ବଜାରକୁ ଆସିବା ନେଇ ଏବେ ଚର୍ଚ୍ଚା, ତାହା ହୁଏତ ୫୦ ବର୍ଷ ପରେ ବି ସମ୍ଭବ ହୋଇ ନପାରେ । ତେବେ ସୋସିଆଲ ମିଡିଆରେ ଘରିବୁଲୁଥିବା ଏ ଭଳି ସବୁ ଖବରଠାରୁ ଦୂରରେ ରହିବା ବତ୍ତର୍ମାନ ସମୟ ପାଇଁ ଜରୁରୀ ହୋଇପଡ଼ିଛି ।