ଝାଡଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନକ୍ସଲ ଆକ୍ରମଣ ହୋଇଛି । ମତଦାନ ଚାଲିଥିବା ସମୟରେ ମତଦାତାଙ୍କୁ ଭୟଭୀତ କରିବା ଲାଗି ନକ୍ସଲ ରାଜ୍ୟର ଗୁମଲା ଜିଲ୍ଲାର ବିଷ୍ଣୁପୁର ବିଧାନସଭା ଆସନ କ୍ଷେତ୍ର ଅଞ୍ଚଳରେ ଥିବା ଏକ ପୋଲକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ଏ ଘଟଣାରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ସେପଟେ ଆକ୍ରମଣ ଯୋଗୁଁ ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇନଥିବା ଡେପୁଟି କମିଶନର ରାଶି ରଞ୍ଜନ ଜଣାଇଛନ୍ତି। ଏହା ସହିତ ଭୋଟିଂ ପ୍ରକିୟା ଜାରି ରହିଥିବା ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଝାଡଖଣ୍ଡରେ ଭୋଟିଂ ଜାରି ରହିଛି । ମୋଟ 81 ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ 43ଟି ଆସନରେ ଭୋଟଗ୍ରହଣ ହେଉଛି । ଆଜି ପର୍ୟ୍ୟାୟରେ ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ଭାବେ ମୋଟ 683 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଆଜି ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ପୂର୍ବତନ ସାଂସଦ ଗୀତା କୋରା ପ୍ରମୁଖ ରହିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ପୂର୍ବାହ୍ନ 9ଟା ସୁଦ୍ଧା ପ୍ରାୟ 13. 4 ପ୍ରତିଶତ ଭୋଟିଂ ହୋଇଛି । ଝାଡଖଣ୍ଡର ମୋଟ 2.60 କୋଟି ଭୋଟରଙ୍କ ମଧ୍ୟରୁ ଆଜି 1.37 କୋଟି ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ 15 ହଜାର 344 ମତଦାନ କେନ୍ଦ୍ରରେ ମତାଦାନ ପ୍ରକ୍ରିୟା ଜାରି ରହିଛି । ସେଥିମଧ୍ୟରୁ 12,700 ଭୋଟିଂ ସେଣ୍ଟର ସହରାଞ୍ଚଳରେ ଥିବା ବେଳ ଅବଶିଷ୍ଟ ପୁଲିଂ ବୁଥ ଗ୍ରାମାଞ୍ଚଳରେ ରହିଛି । ଚଳିତ ପର୍ଯ୍ୟାୟରେ ମୋଟ 683 ପ୍ରାର୍ଥୀଙ୍କ ମଧ୍ୟରୁ 609 ପୁରୁଷ ଓ 73 ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । 43 ଆସନ ମଧ୍ୟରୁ 17 ଟିରେ ଅଣସଂରକ୍ଷିତ ବା ସାଧାରଣ ବର୍ଗର ପ୍ରାର୍ଥୀ ରହିଛନ୍ତି । ଅନ୍ୟ ସଂରକ୍ଷିତ ଆସନରେ 20ଜଣ ଅନୁସୂଚିତ ଜନଜାତି (ଏସଟି) ଓ 6ଜଣ ଅନୁସୂଚିତ ଜାତି (ଏସସି) ବର୍ଗର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । 5ଟା 30ରେ ମତଗ୍ରହଣ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯିବ । 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତାମାସ (ଡିସେମ୍ବର) 3 ତାରିଖରେ ମତଗଣନା ଓ ଜନାଦେସ ପ୍ରକାଶ ପାଇବ । ମହାରାଷ୍ଟ୍ର ସହିତ ଝାଡଖଣ୍ଡର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଅନ୍ୟପଟେ ଆଜି 10 ରାଜ୍ୟରେ 31 ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ଭୋଟିଂ ଜାରି ରହିଛି । ରାଜସ୍ଥାନ 7, ପଶ୍ଚିମବଙ୍ଗ 6, ଆସାମ 5, ବିହାର 4, କର୍ଣ୍ଣାଟକ 3, ମଧ୍ୟ ପ୍ରଦେଶ 2 ଆସନ ସହ ଛତିଶଗଡ, ଗୁଜୁରାଟ, କେରଳ ଓ ମେଘାଳୟରେ ଗୋଟିଏ ଲେଖାଏଁ ଆସନ ରେ ଭୋଟିଂ ଜାରି ରହିଛି । କେରଳର ଚର୍ଚ୍ଚିତ ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେଉଛି । ଏଠାରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢୁଛନ୍ତି ।