ସରକାରୀ ଘୋଷଣା ଅନୁସାରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ ବିପଣନ ବର୍ଷରେ ୮୦ ଲକ୍ଷ ଟନ୍ ଧାନ କ୍ରୟ ନିଷ୍ପତ୍ତି ହୋଇଛି। ଚାଷୀଙ୍କୁ ଏମ୍ଏସ୍ପି ବ୍ୟତୀତ ରାଜ୍ୟ ସରକାର ପ୍ରତି କ୍ୱିଣ୍ଟାଲରେ ୮୦୦ ଟଙ୍କା ଇନ୍ପୁଟ୍ ସହାୟତା (ବୋନସ) ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ସହ ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଏବେ ବି ଚାଷୀ ଦ୍ୱନ୍ଦ୍ୱରେ ଅଛନ୍ତି। ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ସ୍ଥାନରେ ମଣ୍ଡି ପ୍ରସ୍ତୁତ ହୋଇ ନାହିଁ, ଜିଲ୍ଲାପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟା ନେଇ କୌଣସି ବୈଠକ ହୋଇ ନାହିଁ ଓ ଧାନ ବିକ୍ରୟ ସଂକ୍ରାନ୍ତରେ ଚାଷୀଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ସରକାର ଓ ମନ୍ତ୍ରୀମାନେ ସ୍ୱଚ୍ଛତାର ସହ ଧାନ କ୍ରୟ କରାଯିବ ଓ ତୃତୀୟ ପକ୍ଷ ଦ୍ୱାରା ଧାନ ଯାଞ୍ଚ କରାଯିବ ବୋଲି ଘୋଷଣା କରିଥିଲେ ହେଁ ଏହି ତୃତୀୟ ପକ୍ଷ କିଏ ଓ ଏହାକୁ କେଉଁମାନେ ନିଯୁକ୍ତ କରିବେ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଯାହା ଚାଷୀଙ୍କୁ ଅଧିକ ବିଭ୍ରାନ୍ତ କରିଛି । ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ ଧାନ କ୍ରୟକୁ ନେଇ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଯାହା ବ୍ୟବସ୍ଥା କରାଯାଇଛି ତାହା ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି। ଧାନମଣ୍ଡିଗୁଡ଼ିକ ମନ୍ତ୍ରୀମାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏବଂ ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଏଥିନିମନ୍ତେ କୌଣସି ପ୍ରସ୍ତୁତି କରାଯାଇ ନାହିଁ । ୨୧ ତାରିଖରେ ଧାନ ମଣ୍ଡି ଖୋଲାଯିବ ଓ ଧାନ କ୍ରୟ କରାଯିବ ବୋଲି କୁହାଯାଉଥିଲେ ବି ଏହା କାର୍ଯ୍ୟକାରୀ ହୋଇ ପାରିବ କି ନାହିଁ ତାହାକୁ ନେଇ ଚାଷୀମାନେ ସନ୍ଦେହପ୍ରକଟ କରିଛନ୍ତି । ଚଳିତ ବର୍ଷ ସରକାର ଧାନର କ୍ୱିଣ୍ଟାଲପିଛା କ୍ରୟ ମୂଲ୍ୟ ୨୩୦୦ ଟଙ୍କା ଓ ଗ୍ରେଡ଼ ଏ ଧାନର କ୍ରୟମୂଲ୍ୟ ୨୩୨୦ ଟଙ୍କା ରଖିଛନ୍ତି। ସାଧାରଣ ଧାନର କ୍ୱିଣ୍ଟାଲ ପିଛା ୮୦୦ ଓ ଗ୍ରେଡ଼ ଏ ଧାନରେ କ୍ୱିଣ୍ଟାଲ ପିଛା ୭୮୦ ଟଙ୍କା ଚାଷୀଙ୍କୁ ରାଜ୍ୟ ସରକାର ବୋନସ ଦେବେ । ଯାହାକୁ ନେଇ ଚାଷୀ ବେଶ୍ ଉତ୍ସାହିତ ଅଛନ୍ତି । ମାତ୍ର ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ, କୃଷି କ୍ଷେତ୍ରର ସର୍ବେକ୍ଷଣ ଓ ଯାଞ୍ଚକୁ ନେଇ ମଧ୍ୟ ଏବେ ବି ଅନେକ ପ୍ରଶ୍ନ ଉଙ୍କିମାରୁଛି । ପୂର୍ବରୁ ଅନେକ ସମୟରେ ଧାନ ବେପାରୀମାନେ ସ୍ଥାନୀୟ ପ୍ରଶାସନ ଓ ମଣ୍ଡି କର୍ମଚାରୀଙ୍କୁ ପ୍ରଭାବିତ କରି ଆସୁଥିବା ଏବଂ ମିଲରମାନଙ୍କ ପ୍ରଭାବ ମଣ୍ଡିରେ ପ୍ରତିଫଳିତ ହେଉଥିବା ଅଭିଯୋଗ ହେଉଥିବାବେଳେ ଏବେ ଧାନ କିଣାକୁ ନେଇ ଅନୁରୂପ ସନ୍ଦେହ ଚାଷୀମନରେ ଜାଗ୍ରତ ହୋଇଛି। ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅଧିକାଂଶ ମିଲର ଏଯାଏ ଧାନ ନେଇ ବର୍ଷବର୍ଷ ହେଲା ବକେୟା ଚାଉଳ ଦେଇ ନାହାନ୍ତି। ଯେଉଁଥିପାଇଁ ଅନେକ ମିଲରଙ୍କୁ ବିଗତ ବର୍ଷମାନଙ୍କରେ ଧାନ ସଂଗ୍ରହରୁ ବାଦ ଦିଆଯାଇଥିଲା ଓ କିଛି ମିଲରଙ୍କ ନାମରେ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ସମ୍ପ୍ରତି ଏହି ମିଲରମାନେ ସଂଘବଦ୍ଧ ହୋଇ ସରକାରଙ୍କ ଉପରେ ପରୋକ୍ଷରେ ଚାପ ପ୍ରୟୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଧାନ ବିକ୍ରି ନେଇ ସରକାର ଯଦି ଚାଷୀଙ୍କ ଏହି ଦ୍ବନ୍ଦ୍ବ ତୁରନ୍ତ ଦୂର ନକରନ୍ତି ତେବେ ଆଗକୁ ଏହା ସରକାରଙ୍କ ପାଇଁ ବଡ ସମସ୍ୟା ହେବ ବୋଲି କୁହାଯାଉଛି ।