ଦୀର୍ଘ ଦିନର ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନୀତି ପାଇଁ ନିଜ କାର୍ଯ୍ୟାଳୟରେ ହଟ ହଟା ହେବାକୁ ପଡିଛି ବିଡ଼ିଓଙ୍କୁ। ଜଣେଦୁର୍ନୀତି ଗ୍ରସ୍ତ ସିଆରପିଙ୍କୁ ବହିଷ୍କାର କରିବା, ପାଇଖାନା ମହାଦୁର୍ନୀତିରେ ଲିପ୍ତ ଅଧିକାରିଣୀଙ୍କୁ ଘଣ୍ଟ ଘୋଡାଇବା, ଗୋଟିଏ ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଆବାସ ଯୋଜନା ହାତେଇଥିବା, କାଜୁ ଚାରା ରୋପଣରେ ଘୋଟାଲା ହୋଇଥିବା ବିଷୟକୁ ନେଇ ପାଟିତୁଣ୍ଡ ହୋଇଥିଲା। ଆଠଗଡ଼ନିର୍ବାଚନ ମଣ୍ଡଳୀ ତଥା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅଧିନ ଛଅ ଗୋଟି ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ପର୍ଦାଫାସ କରିବା ପାଇଁ ଆଠଗଡ଼ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଅଭୟ ବାରିକ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଶୁଣୁନି ବ୍ଲକ ପ୍ରଶାସନ। ଏଇ କଥାକୁ ନେଇ ଉତ୍ୟକ୍ତ ହୋଇ ଉଠିଥିଲେ ତାଙ୍କ ସହିତ ଆସିଥିବା ସମର୍ଥକ। ଦୀର୍ଘ ଦୁଇ ବର୍ଷ ହେବ ଦାବୀ ହୋଇ ଆସୁଥିଲେ ମଧ୍ୟ ଘଣ୍ଟ ଘୋଡାଇଚାଲି ଥିବାରୁ ଆଜି କଥାକଟାକଟି ସହ ହାତ ଉଠାପର୍ଯ୍ୟନ୍ତ ଯାଇଥିଲା। କଟକ ସାଂସଦଙ୍କ ପ୍ରତିନିଧି ଚିତ୍ତ ରଞ୍ଜନ ମଲିକଙ୍କ ସହ ବିଡ଼ିଓ ହେମନ୍ତ ମହାନ୍ତଙ୍କ ମଧ୍ୟରେ। ଶେଷରେ ବିଡ଼ିଓ କାର୍ଯ୍ୟାଳୟ ଛାଡି ଅନ୍ୟ କୋଠରୀକୁ ଚାଲି ଯାଇଥିଲେ। ଆଲୋଚନକୁ ନ ଆସିବାରୁ ଅଭୟଙ୍କ ସମର୍ଥକ ମାନେ ବିଡ଼ିଓଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଟାଙ୍ଗୀ ପୋଲିସ ପହଞ୍ଚି ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ଅତିରିକ୍ତ ବିଡ଼ିଓଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଆସନ୍ତାକାଲି ଉପରିସ୍ଥ ଅଧିକାରୀଙ୍କୁ ଦୁର୍ନୀତି ବିରୁଦ୍ଧରେ ଚିଠି କରିବା ପାଇଁ ପ୍ରତିଶୃତି ମିଳିବା ପରେ ଶତାଧିକ ବିଜେପି ସମର୍ଥକ ଫେରିଯାଇଥିଲେ। ଆଜିର ବିରୋଧ କାର୍ଯ୍ୟକ୍ରମକୁ ଅମରେନ୍ଦ୍ର ରାଉତ, କେଦାର ଦାସ,ଯଶୋବନ୍ତ ରାଉତ, ଅରମାନ ସେଠି, ପ୍ରମୁଖ ନେତୃତ୍ୱ ନେଇଥିଲେ।