ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ । କିଏ ମାରିବ ବାଜି । ବିଜେପି ଓ କଂଗ୍ରେସ ସହ ନିର୍ବାଚନ ରେସରେ ଅଛନ୍ତି ଆଞ୍ଚଳିକ ଦଳ । ପ୍ରତିଦ୍ବନ୍ଦ୍ବିତା ବରାବର ହେଉଥିବା ବେଳେ ରାଜ୍ୟ ହାତେଇବା ପାଇଁ ଅଙ୍କ କଷୁଛନ୍ତି ସମସ୍ତ ରାଜନୈତିକ ଦଳ । ସେପଟେ ଭୋଟରହାତେଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଆକର୍ଷକ ପ୍ରତିଶ୍ରୁତି ଦେଉଛନ୍ତି ନେତା ଓ କର୍ମୀ । ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ସେମାନଙ୍କର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ଆରମ୍ଭ କରିଛନ୍ତି । ବିଜେପି ପରେ ମହା ବିକାଶ ଆଘାଡି (ଏମ୍ଭିଏ) ଏହାର ନିର୍ବାଚନୀ ଇସ୍ତାହାର ଉପସ୍ଥାପନ କରିଛି। ଏହାର ନାମ “ମହାରାଷ୍ଟ୍ରନାମା” ରଖଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ନିର୍ବାଚନୀ ଇସ୍ତାହାରରେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇବା, ମହିଳାମାନଙ୍କୁ ପ୍ରତିମାସରେ ୩୦୦୦ ଟଙ୍କା ଭତ୍ତା ଦେବା ଏବଂ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା କରିବା ଭଳି ଅନେକ ପ୍ରତିଶ୍ରୁତି ଦିଆଯାଇଛି। ଏହି ଘୋଷଣା ସମୟରେ ଶିବସେନା (ୟୁବିଟି)ର ସଞ୍ଜୟ ରାଉତ, ଏନସିପି-ଏସସିପିର ସୁପ୍ରିୟା ସୁଲେ, କଂଗ୍ରେସ ମହସଚିବ କେ.ସି ଭେନୁଗୋପାଲ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଖଡଗେ କହିଛନ୍ତି ଯେ ଏହି ନିର୍ବାଚନ ମହାରାଷ୍ଟ୍ରର ଭବିଷ୍ୟତ ତଥା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏମ୍ଭିଏ ସରକାର ରାଜ୍ୟରେ ସ୍ଥିରତା ଏବଂ ଉତ୍ତମ ଶାସନ ଆଣି ପାରିବେ। ସେ ମହାରାଷ୍ଟ୍ରର ବିକାଶ ପାଇଁ ୫ଟି ପ୍ରମୁଖ ସ୍ତମ୍ଭ ବିଷୟରେ କହିଥିଲେ ଯେଉଁଥିରେ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ, ଶିଳ୍ପ ଏବଂ ନିଯୁକ୍ତି, ସହରୀ ବିକାଶ, ପରିବେଶ ସୁରକ୍ଷା ଏବଂ ଜନ କଲ୍ୟାଣ ଆଦି ଅନ୍ତର୍ଭୁକ୍ତ ରହିଛି। ନିର୍ବାଚନୀ ଇସ୍ତାହାରରେ ବେକାର ଯୁବକମାନଙ୍କୁ ପ୍ରତିମାସରେ ୪୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ, ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରିବା ଏବଂ ମାଗଣା ଔଷଧ ଉପଲବ୍ଧ ହେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ଜାତି ଜନଗଣନା ପ୍ରତିଶ୍ରୁତି ଉପରେ ଖଡଗେ କହିଛନ୍ତିଏହାର ଉଦ୍ଦେଶ୍ୟ କୌଣସି ସମ୍ପ୍ରଦାୟକୁ ବିଭାଜନ କରିବା ନୁହେଁ, ବରଂ ବିଭିନ୍ନ ସମ୍ପ୍ରଦାୟର ଅବସ୍ଥା କ’ଣ ତାହା ବୁଝିବା, ଯାହା ଦ୍ବାରା ସେମାନେ ଉପଯୁକ୍ତ ଲାଭ ପାଇପାରିବେ।