ସରକାରଙ୍କ ପାଇଁ ଏବେ ଆମ୍ବ ଟାକୁଆ ପ୍ରସଙ୍ଗ କଣ୍ଟା ହୋଇ ବେକରେ ଅଟକିଛି । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି ବିରୋଧି ନେତା । ନବୀନ ସରକାରରେ ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ହୋଇଥିବା ବେଳେ ମୋହନ ସରକାରରେ ଆମ୍ବ ଟାକୁଆକୁ ନେଇ ମୃତ୍ୟୁ ଘଟଣା ସରକାରଙ୍କ ଉପରେ ପ୍ରଶ୍ନ ତିଆରି କରିଛି । ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ । ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇଭଉଣୀଙ୍କ ଚାଉଳକୁ ନୂଆ ସରକାର ବନ୍ଦ କରିଛନ୍ତି। ସେମାନେ ଆମ୍ବ ଟାକୁଆ ଖାଉଛନ୍ତି। ଏହା ବହୁତ ଦୁଃଖର କଥା । ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି ।
ଏହାସହ ନବୀନ କହିଛନ୍ତି ଯେ, ଅକ୍ଟୋବରରୁ ଆରମ୍ଭ ହୋଇଥିବା ବିଜେଡିର ମେମ୍ବର ସିପ ଡ୍ରାଇଭ ଭଲରେ ଚାଲିଛି । ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି । ଯୁବ ଛାତ୍ରମାନେ ମୋ ଦଳର ଭବିଷ୍ୟତ। ଆପଣମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତୁ। ବିରୋଧୀଙ୍କ ଅପ ପ୍ରଚାରର କଡା ଜବାବ ଦିଅନ୍ତୁ ବୋଲି ନବୀନ କହିଛନ୍ତି । ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ଏକ ମଡେଲ ହୋଇଛି । ଭାରତ ସରକାର ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନ ଥିଲା । ବିଜେପି ସରକାର ଲୋକଙ୍କ ସମସ୍ୟା କୁ ଅଣଦେଖା କରୁଛି । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ । ବିଜେଡି ଲୋକଙ୍କ ହୃଦୟରେ ରହିଛି ବୋଲି ନବୀନ କହିଛନ୍ତି।