ଓଡିଶାରେ ତିଆରି ହୋଇଛି ଡବଲ ଇଞ୍ଜିନ ସରକାର । ତଥାପି ମଧ୍ୟ ଦୂର ହେଉନି ଓଡିଶାର ଦୁଃଖ । ଜନତା ଆଶା କରିଥିଲେ ଓଡିଶାରେ ବିଜେପି ସରକାର ଆଶିବା ପରେ ଓଡିଶାର ଭାଗ୍ୟ ବଦଳିବ । କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ଏବେ ପାଣିରଗାର ହୋଇଛି ବୋଲି ଅନୁଭବ କଲେଣି ଲୋକେ । ବର୍ତ୍ତମାନ ଡବଲ ଇଞ୍ଜିନ୍ ସରକାର ଓଡ଼ିଶାକୁ ଦେଇଛି ଆଉ ଏକ ଧକ୍କା । ଓଡ଼ିଶା ଓ ମାଲକାନଗିରି ଜିଲ୍ଲାର ଲକ୍ଷଲକ୍ଷ ଆଦିବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରି କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ଶେଷ କରିବାକୁ ଆନ୍ଧ୍ରକୁ କେବଳ ବିପୁଳ ଆର୍ଥିକ ସହାୟତା ଦେଇ ନାହାନ୍ତି । ପକ୍ଷାନ୍ତରେ ଏହି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି ଚାଲିଛନ୍ତି । ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବ । ତେଣୁ ଏହାକୁ ବିରୋଧ କରି ଓଡ଼ିଶା ସରକାର ଏହାପୂର୍ବରୁ ଉଭୟ ଆନ୍ଧ୍ର ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଥିଲେ କିନ୍ତୁ ଏହାକୁ ଖାତିର ନକରି ଆନ୍ଧ୍ର ସରକାର ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ଉଦ୍ୟମ ଚଳାଇଛନ୍ତି। ଆନ୍ଧ୍ର ଏତିକିରେ ସନ୍ତୁଷ୍ଟ ନହୋଇ ପ୍ରକଳ୍ପର ଡିଜାଇନ୍ରେ ପୁଣି ପରିବର୍ତ୍ତନ କରିଛି । ଏହାଦ୍ବାରା ମାଲକାନଗିରି ଜିଲ୍ଲାର ଆହୁରି ଅଞ୍ଚଳ ଜଳମଗ୍ନ ହୋଇଯିବ। ପରିବର୍ତ୍ତିତ ଡିଜାଇନ୍ ସହ ତରବରିଆ ଭାବରେ କାମ ସାରିବାକୁ ଆନ୍ଧ୍ର ସରକାର ଉଦ୍ୟମ କରୁଥିବା ବେଳେ ଏବେର ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବ ହୋଇ ବସିଛନ୍ତି ।
ପୂର୍ବରୁ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସ୍ପଷ୍ଟ ହୋଇ ସାରିଛି । ଏବେ ପୁଣି ପ୍ରକଳ୍ପର ଡ଼ିଜାଇନ୍ ପରିବର୍ତ୍ତନ କରାଯାଇଛି ଓ ପୋଲାଭରମ ଦକ୍ଷିଣ କେନାଲର କ୍ଷମତା ୩୦ ହଜାର କ୍ୟୁସେକକୁ ବୃଦ୍ଧି କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଓଡ଼ିଶା ପ୍ରତି ବିପଦ ଆହୁରି ବଢ଼ାଇବା ଆଶଙ୍କା ସୃଷ୍ଟି କରିଛି। ଆସନ୍ତା ମାର୍ଚ୍ଚ ୨୦୨୮ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଆନ୍ଧ୍ର ସରକାର ଯୋଜନା କରିଛନ୍ତି। ନିଜର ଲାଭ ପାଇଁ ପ୍ରକଳ୍ପର ବନ୍ଧ ଉଚ୍ଚା କରାଯାଇ କାର୍ଯ୍ୟ କରାଯାଉଛି, ମାତ୍ର ପ୍ରକଳ୍ପ ଯୋଗୁଁ ପ୍ରତ୍ୟକ୍ଷ ଭାବରେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେବାକୁ ଥିବା ସତ୍ତ୍ବେ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାର ମୌନବ୍ରତ ସମ୍ପ୍ରତି ସମଗ୍ର ରାଜ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। କୋଟିଆଠାରୁ ଆରମ୍ଭ କରି ପୋଲାଭରମ ପ୍ରକଳ୍ପ ଭଳି କାମ ପାଇଁ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଆନ୍ଧ୍ରରେ ବିଜେପିର ସହଯୋଗୀ ସରକାର ଥିବାରୁ ଓଡ଼ିଶା ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ଉପଯୁକ୍ତ ଗୁରୁତ୍ୱ ଦେବେ ବୋଲି କରାଯାଉଥିବା ଆଶା ମଉଳି ଯାଇଛି।
କେନ୍ଦ୍ରରେ ବିଜେପି ଶାସନ ଗାଦିରେ ରହିବାକୁ ହେଲେ ଚନ୍ଦ୍ରବାବୁ ନାଇଡୁଙ୍କ ସହଯୋଗ ଏକାନ୍ତ ଜରୁରୀ ହୋଇଥିବାରୁ ଓଡ଼ିଶା ସ୍ୱାର୍ଥକୁ କେନ୍ଦ୍ର ସରକାର ବଳି ଦେଇ ନାଇଡ଼ୁଙ୍କୁ ସମର୍ଥନ ଦେଉଥିବା ଅଭିଯୋଗ ହୋଇଛି। ରାଜ୍ୟ ବିଜେପି ମଧ୍ୟ ରାଜ୍ୟର ସ୍ୱାର୍ଥହାନିକୁ ନିରବରେ ସମର୍ଥନ କରିଚାଲିଛି। ବିଭିନ୍ନ ସଂଗଠନ ସହ ରାଜନୈତିକ ଦଳମାନେ ବିରୋଧ କରିଛନ୍ତି। ରାଜ୍ୟର ବିଜେପି ସରକାର କାହିଁକି ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ତାହା ରହସ୍ୟ ହୋଇ ରହିଛି ।