ନନ୍ଦପୁର ଥାନା ଅର୍ନ୍ତଗତ ହାରିଆମୁଣ୍ଡା ଗାଁର ସବିତା ମାଳି ଓରଫ ଖରା ହତ୍ୟା ମାମଲାରେ ହତ୍ୟା କିଭଳି କରାଯାଇଥିଲା ତାହାର ସମ୍ପୁର୍ଣ୍ଣ ପର୍ଦ୍ଧାପାସ କରିଛି। ଏହି ହତ୍ୟା ମାମଲାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ଖରା ତାଙ୍କ ଅନ୍ୟ ଦୁଇ ସହଅଭିଯୁକ୍ତ ମହେଶ ମାଳି ଓ ସୋମନାଥ ଭୋଇଙ୍କୁ ନେଇ କେଉଁ ଠାରେ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିଲେ।ତାହାର ସୀନ ରିକ୍ରେଏସନ୍ କରିଥିଲା ପୁଲିସ। ଏହା ସହ ଅଭିଯୁକ୍ତ ମହେଶ ଲୁଛାଇ ରଖିଥିବା ସୁନା ଅଳଙ୍କାର, ରକ୍ତଲଗା ଲୁଗା ଆଦିକୁ ବି ଜବତ କରିଛି। ଆଜି ତିନି ଅଭିଯୁକ୍ତଙ୍କୁ କୋରାପୁଟ କୋର୍ଟକୁ ଚାଳାଣ କରାଯାଇଥିବା ନନ୍ଦପୁର ଥାନା ପୁଲିସ ସୂଚନା ଦେଇଛି।
ଗତ ୪ତାରିଖ ଦିନ ଏହି ଘଟଣା ସମ୍ପର୍କରେ ନନ୍ଦପୁର ପୁଲିସ ସୂଚନା ପାଇବା ପରେ ଏସପି ରୋହିତ ବର୍ମାଙ୍କୁ ଜଣାଇଥିଲେ। ଏସପି ନନ୍ଦପୁର ଥାନାର ପ୍ରବେସନ ଥାନା ଅଧିକାରୀ ପାଣ୍ଡବ ଶବର, ନନ୍ଦପୁର ଥାନା ଅଧିକାରୀ ମମତା ପଣ୍ଡା, ସେମିଳିଗୁଡା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦପାତ୍ରଙ୍କୁ ନେଇ ଟିମ୍ ଗଠନ କରିଥିଲେ। ପ୍ରଥମରୁ ପୁଲିସ ମହେନ୍ଦ୍ରର ହାବଭାବକୁ ନେଇ ସଂଦେହରେ ରହିଥିଲେ। ସାଇନଟିଫିକ୍ ଟିମ୍ ଆସି ମହେନ୍ଦ୍ରକୁ ବନ୍ଦାଯାଇଥିବା ଦଉଡି ଏବଂ ତାକୁ ବନ୍ଦାଯାଇଥିବା ସ୍ଥାନରେ ରକ୍ତ ଲାଗିଥିବା ଦେଖିଥିଲେ। ଅପରପକ୍ଷରେ ମହେନ୍ଦ୍ରର ଦେହରେ ମାଡ଼ ଚିହ୍ନ ନଥିଲା। ମୃତା ସାବିଙ୍କର ରକ୍ତକୁ ନେଇ ପୁଲିସକୁ ସଂଦେହ ହେବା ପରେ ମହେନ୍ଦ୍ରକୁ ପଚାରାଉଚାରା କରିବା ଆରମ୍ଭ କରିଥିଲେ। ତା ପରେ ମୋବାଇଲର କଥାବାର୍ତ୍ତାର ଯାଂଚ କରିବା ପରେ ପୁଲିସର ସୁରାକ୍ ମିଳିଥିଲା। ପରେ ଅଭିଯୁକ୍ତ ମହେନ୍ଦ୍ର ହତ୍ୟା କରିଥିବା ମାନିଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ମହେନ୍ଦ୍ର ଗତ ହୋଲି ସମୟରେ ସେହି ଗାଁର ସବିତାଙ୍କ ସହ ବିବାହ କରିଥିଲା।
ବିବାହ ପର ଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ସେ ସବିତାକୁ ରାସ୍ତାରୁ ସମ୍ପୁର୍ଣ୍ଣ ରୁପେ ହଟାଇ ନୂଆରେ ଆଉ ଜଣକୁ ବାହା ହେବାକୁ ଯୋଜନା ଆରମ୍ଭ କରିଥିଲା ମହେନ୍ଦ୍ର। ସହଯୋଗୀ ମହେଶ ଓ ସୋମନାଥ ସହ ମିଶି ଗତ ୮ଦିନ ହେବ ସବିତାକୁ ହତ୍ୟା କରିବାକୁ ଚେଷ୍ଟା କରି ଫେଲ୍ ମାରିଥିଲେ।
ଗତ ୪ତାରିଖ ଦିନ ମହେନ୍ଦ୍ର ସବିତାକୁ ସୁଭୁଦ୍ରା ଯୋଜନାର ଆଧାରକାର୍ଡ ସଂଶୋଧନ କରିବା ନାଁରେ ନନ୍ଦପୁର ଆଣିଥିଲେ। ନନ୍ଦପୁରରେ କାମ ଦିନ ଗୋଟାଏ ବେଳେ ସରିଯାଇଥିଲା। ଏହା ବାଦେ ବି ସବିତାଙ୍କୁ ଭୁଲେଇ ସଂଧ୍ୟା ପର୍ଯ୍ୟନ୍ତ ସମୟ ଅତିବାହିତ କରିଥିଲା ମହେନ୍ଦ୍ର। ସାଢ଼େ ୫ଟା ବେଳେ ନନ୍ଦପୁରରୁ ବାହାରି ଗାଁ ଅଭିମୁଖେ ଯାଇଥିଲା ଅଭିଯୁକ୍ତ। ବାଟରେ ମହେନ୍ଦ୍ର ସହଯୋଗୀ ମହେଶ ଓ ସୋମନାଥଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ହାରିଆମୁଣ୍ଡା ଗାଁ ଠାରୁ ୧୦୦ମିଟର ଦୂରରେ ଥିବା ଗୋଟିଏ ପୋଲ ନିକଟରେ ମହେଶ କାଠ ଟେଙ୍ଗା ଧରି ଠିଆ ହୋଇଥିଲେ। ପୋଲରେ ମହେନ୍ଦ୍ର ଅତିକ୍ରମ କରିବା ସମୟରେ ସବିତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମହେଶ ଟେଙ୍ଗାରେ ମାରିଥିଲେ। ବାଇକରୁ ପୋଲ ତଳକୁ ଛିଟକି ପଡ଼ିଥିଲେ ସବିତା। ତା ପରେ ପୁଣି ତିନିରୁ ଚାରିଥର ମହେଶ ତାଙ୍କ ମୁଣ୍ଡରେ ମାରିଥିଲେ। ସ୍ବାମୀ ତଥା ଘଟଣାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ମହେନ୍ଦ୍ର ତଳକୁ ଯାଇ କାଳେ ବଂଚିଯାଇଥିବ ଭାବି ବେକକୁ ଚିପି ଧରି ମାରିଦେଇଥିଲେ।