ପବିତ୍ର କାଳୀପୂଜା ଓ ଶ୍ରୀକୃଷ୍ଣ ପୂଜା ପାଇଁ ଉତ୍ସବ ମୁଖର ଚାନ୍ଦବାଲି ସହର । ସନ୍ଧ୍ୟା ହେଲେ ଜମୁଛି ଭିଡ଼ , ମେଳା ବୁଲି ମଜା ନେଉଛନ୍ତି ଲୋକେ । ଚାନ୍ଦବାଲି ସହରର କାଳୀପୂଜା ୯୮ ବର୍ଷରେ ପଦାର୍ପଣ କରିଥିବା ବେଳେ ଶ୍ରୀକୃଷ୍ଣ ପୂଜା ୨୪ବର୍ଷରେ ପହଞ୍ଚିଛି । ଚାନ୍ଦବାଲିର ଆରାଧ୍ୟା ଦେବୀ ମାଆ ଦଖିଣେଶ୍ୱରୀ କାଳୀଙ୍କର ସାଢେ ପାଞ୍ଚ ଫୁଟର ଏକ କଳା ମୁଗୁନି ପାଷାଣ ମୂର୍ତ୍ତି ପୂଜା ପାଉଛନ୍ତି । ବର୍ଷ ସାରା ମାଆଙ୍କ ପୂଜାର୍ଚ୍ଚନା ଚଳୁଥିଲେ ମଧ୍ୟ ଦୀପାବଳୀ ଅମାବାସ୍ୟା ଠାରୁ ୭ଦିନ ଧରି ସ୍ୱତନ୍ତ୍ର ରୀତିନୀତି ଅନୁସାରେ ମାଆଙ୍କ ଆରାଧନା କରାଯାଏ । ଦୀପାବଳୀ ଅମାବାସ୍ୟା ଠାରୁ ଉତ୍ସବ ମୁଖର ହୋଇ ଉଠେ ଚାନ୍ଦବାଲିର ଆଖପାଖ ଅଞ୍ଚଳ ।ପଡୋଶୀ କେନ୍ଦ୍ରାପଡା, ଯାଜପୁର, ବାଲେଶ୍ଵର ଜିଲ୍ଲାରୁ ବହୁ ଲୋକଙ୍କ ସୁଅଛୁଟେ ଚାନ୍ଦବାଲିର ପ୍ରସିଦ୍ଧ କାଳୀପୂଜା ଦେଖିବା ପାଇଁ । ବହୁ ଦୁରୁ ଦୁରାନ୍ତରୁ ବ୍ୟବସାୟୀ ମାନେ ନିଜର ବ୍ୟବସାୟ କରିବା ପାଇଁ ଛୁଟି ଆସନ୍ତି । ୭ଦିନ ଧରି ମେଳା ବୁଲା ସାଙ୍ଗକୁ ଅପେରା ପାର୍ଟିର ମଜ୍ଜା ନିଅନ୍ତି ଦର୍ଶକ ।