ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉପାନ୍ତ ଆଦିବାସୀ ଅଞ୍ଚଳ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଫେଲ ମାରିଥିବା ଦେଖିବାକୁ ମିଳିଛି । କେଉଁଠି ସ୍କୁଲ ନାହିଁ ତ, କେଉଁଠି ଶିକ୍ଷକ ନାହାନ୍ତି । କେଉଁଠି ଶ୍ରେଣୀ ଗୃହ ନାହିଁ ତ, କେଉଁଠି ଶିକ୍ଷକ ଅଭାବ ରହିଛି । କେଉଁ ଛାତ୍ରବାସରେ ଶ୍ରେଣୀ କୋଠରୀ ଅଭାବ ତ, କେଉଁଠି ଶିକ୍ଷକ ଅଭାବ । ବିଶେଷ କରି ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା କହିଲେ ନ ସରେ । ଏପରି ଏକ ବିଦ୍ୟାଳୟ ସମସ୍ୟାକୁ ନେଇ ନୂଆପଡା ଜିଲ୍ଲାରୁ ଦେଖିବା
ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନୂଆପଡ଼ା ବଲାଙ୍ଗୀର ସୀମାନ୍ତ ବଡମୁଲା ଗାଁ ରେ ଦୀର୍ଘ ବର୍ଷ ହେବ ଏକ ଆଶ୍ରମ ବିଦ୍ୟାଳୟ ପରିଚାଳିତ ହୋଇ ଆସୁଅଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ଆଶ୍ରମ ବିଦ୍ୟାଳୟ ରେ ୩୩୧ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୫୪ ଜଣ ଛାତ୍ର ଓ ୭୫ ଜଣ ଛାତ୍ରୀ ଆଶ୍ରମ ରେ ରହି ପାଠ ପଢ଼ିଆସୁଚ୍ଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କ ପାଇ ପାଞ୍ଚ ଜଣ ନିୟମିତ ଶିକ୍ଷକ ଥିବା ବେଳେ ଦୁଇ ଅତିଥି ଶିକ୍ଷକ ପାଠ ପଢ଼ାଉଛନ୍ତି । କିନ୍ତୁ ବିଡମ୍ବନା ର ବିଷୟ ଏହା ଯେ ଆଠ ଗୋଟି ଶ୍ରେଣୀ ପାଇଁ ପାଞ୍ଚ ଗୋଟି କୋଠରୀ ରହିଅଛି । ଯାହା ଫଳ ରେ ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭାଗ ବଂଟା କରି ପାଠପଢା ଯାଏ, ତେବେ କେମିତି ପାଠ ଚାଲୁଥିବ ଆପଣ ଜାଣି ପାରୁଥିବେ । ଏହି ବିଦ୍ୟାଳୟ ରେ ପର୍ଯ୍ୟାପ୍ତ କୋଠରୀ ରହିଥିଲେ ହେଁ ବହୁ ପୁରୁଣା କୋଠା ଗୁଡ଼ିକ ଏବେ ବିପଦ ସଙ୍କୁଳ ଅବସ୍ଥା ରେ ରହି ଛାତ ରୁ ଅତଡା ଖସି ଲୁହା ରଡ଼ ସବୁ ଦିଶୁଛି । ଛାତ୍ରଛାତ୍ରୀ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ସେହି କୋଠା ଗୁଡ଼ିକ ବନ୍ଦ କରି ଦୁଇ ଗୋଟି ଶ୍ରେଣୀ ର ପିଲା କୁ ଗୋଟେ କୋଠରୀ ରେ ଶିକ୍ଷାଦାନ କରୁଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।
ବଡ଼ମୂଳା ଆଶ୍ରମ ବିଦ୍ୟାଳୟ ରେ କେବଳ ଯେ ଶ୍ରେଣୀ ଗୃହ ଅଭାବ ତାହା ନୁହେଁ, ବର୍ଷା ଦନରେ ପାଣି ନିଷ୍କାସନ ର ବ୍ୟବସ୍ଥା ନଥିବା ରୁ ବର୍ଷା ପାଣି ଜମା ହୋଇ ଦୀର୍ଘ ଦିନ ରହି ଯାଉଥିବାରୁ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପରିତ୍ୟକ୍ତ ପରିବେଶ ରେ ପ୍ରାର୍ଥନା ଠାରୁ ନେଇ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କ ଶୋଇବା ବେଡ ମାନଙ୍କ ଅବସ୍ଥା ନକହିବା ଭଳି । ଏପରି ସ୍ଥଳେ ଛାତ୍ର ଛାତ୍ରୀ ଙ୍କ ପାଇଁ ସରକାର ଙ୍କ ଯୋଜନା ଏକ ପ୍ରହସନ୍ ଭଳି ମନେ ହୁଏ । ସବୁ ଠାରୁ ଆଶ୍ଚର୍ଯ୍ୟ ର କଥା ଦୀର୍ଘ ବର୍ଷ ହେବ ଏହି ବିଦ୍ୟାଳୟ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇନଥିବା ରୁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ଙ୍କ ସୁବିଧା ଅସୁବିଧା କଣ କାହାକୁ ଗୋଚର ନାହିଁ ।
ଏପରି ସ୍ଥଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ସ୍ଵାଭାବିକ । ଆମେ ଏ ବାବଦ ରେ ଖଡ଼ିଆଳ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ପଚାରିବାରୁ କିଛି ସମସ୍ୟା ଅଛି ଓ ବର୍ତ୍ତମାନ କାମ ଚାଲିଛି କମ ଦିନ ମଧ୍ୟରେ ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି କହିଛନ୍ତି।
ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ଅନେକ ଗୁଡ଼ାଏ ବ୍ୟବସ୍ଥା ସରକାର କରୁଛନ୍ତି କିନ୍ତୁ ବାସ୍ତବିକ ତାହା ତୃଣମୂଳ ସ୍ଥର ରେ କେତେ କାର୍ଯ୍ୟକାରୀ ଏହି ଆଶ୍ରମ ବିଦ୍ୟାଳୟ ଏକ ଉଦାହରଣ ମାତ୍ର । ତୁରନ୍ତ ଜିଲ୍ଲା ପ୍ରଶାସନ ସହ ଶିକ୍ଷା ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ କୋଠା ସମସ୍ୟା ସହ ଡ୍ରେନେଜ୍ , ବେଡ ର ବ୍ୟବସ୍ଥା କରିବା ସହ ସ୍କୁଲ ପରିଚାଳନା କମିଟି ଗଠନ କରି ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଧିକାର ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।