ବ୍ଲକ କଳା ଓ ସଂସ୍କୃତି ସଂଘ ବୋଡ଼େନର ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ବୋଡ଼େନ ବ୍ଲକ ଫରସରା ଗ୍ରାମରେ ଆୟୋଜିତ ହୋଇ ଯାଇଛି। ବୋଡ଼େନ ବିଡ଼ିଓ ପ୍ରିୟରଞ୍ଜନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ କଳା ଓ ସଂସ୍କୃତି ଏକ ରାଜ୍ୟର ପରିଚୟ ଓ ଓଡ଼ିଶା ନିଜ କଳା ପାଇଁ ବିଶ୍ବ ପ୍ରସିଦ୍ଧ ବୋଲି କହିଥିଲେ। କଳାକାରଙ୍କ ପାଇଁ ସରକାରୀ ସ୍ଥରରେ ଥିବା ସୁବିଧା ସୁଯୋଗ ଉପରେ ସେ ଆଲୋଚନା କରିଥିଲେ। ଆୟୋଜକ ତଥା ପୂର୍ବତନ ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡ଼ାର ଉପ ସଭାପତି ତ୍ରିମନ ମାଝୀ କଳାକାର ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଖଡ଼ିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂଆପଡ଼ା ଜିଲ୍ଲାର କଳାକୁ ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।ଏ ଅବସରରେ ବରିଷ୍ଠ କଳାକାର ମାନଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା। ରାମ କାଠି, ଘୁମୁରା, ପାଲା, ସଙ୍କୀର୍ତ୍ତନ, ସଂଚାର, ବଜାଶାଲ ଆଦି ପରିବେଷିତ ହୋଇଥିବା ବେଳେ ରାତ୍ରରୁ ଅହୋରାତ୍ର ସଙ୍କୀର୍ତ୍ତନ କରାଯାଇଥିଲା।