SunstarTV
ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ଫଶିଲେ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଭୁବନେଶ୍ବର ଆସିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ। ମନ୍ଦିର ଭିତରକୁ ମୋବାଇଲ୍ ଓ କ୍ୟାମେରା ନେବାକୁ ବାରଣ ଥିଲେ ହେଁ ସେଠାରେ ଶିଳ୍ପାଙ୍କ ଫଟୋ ଉତ୍ତୋଳନ କରାଯିବା ସହ ଭିଡିଓ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହେବା ପରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେମାନଙ୍କ କହିବା କଥା, ଶିଳ୍ପା ବାହାର ରାଜ୍ୟର ହୋଇଥିବାରୁ ସେ ହୁଏତ ଏ କଟକଣା ସଂପର୍କରେ ଜାଣି ନଥିବେ। କିନ୍ତୁ ମନ୍ଦିରର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ୍ ଓ ମନ୍ଦିର ପ୍ରଶାସନ କ’ଣ କରୁଥିଲା। ଏନେଇ ତାଙ୍କୁ କାହିଁକି ବାରଣ କରାଗଲା ନାହିଁ। ଏହା ସହିତ ଫଟୋ ଓ ଭିଡିଓରେ ଶିଳ୍ପାଙ୍କ ସହ ଜଣେ ସେବାୟତ ମଧ୍ୟ ନଜର ଆସୁଛନ୍ତି। ଯିଏ ଶିଳ୍ପାଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମନ୍ଦିର ସଂପର୍କରେ ସୂଚନା ଦେଉଛନ୍ତି। ତେବେ ସଂପୃକ୍ତ ସେବାୟତଜଣଙ୍କ କ’ଣ ମନ୍ଦିରର ଏହି କଟକଣା ସଂପର୍କରେ ଜାଣିନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।