SunstarTV
କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓମ ବିର୍ଲା । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, ଲୋକଙ୍କ ସାମାଜିକ, ଆର୍ଥିକ ଉନ୍ନତିରେ ଦେଶ ଓ ରାଜ୍ୟର ସମୃଦ୍ଧି ନିର୍ଭର କରେ । ସମାଜର ସବୁ ବର୍ଗର ଲୋକଙ୍କୁ ଯେପରି ସମାନ ଅଧିକାର ମିଳିପାରିବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟପୂର୍ଣ୍ଣ ବିତରଣ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ଲୋକନୀତି ପ୍ରସ୍ତୁତ କରାଯିବା ଉଚିତ । ବିଭିନ୍ନ ସମୟରେ ସରକାର, ଘରୋଇ ସଂସ୍ଥା ଓ ଶିଳ୍ପ ସମୂହ ନୀତି ନିର୍ଦ୍ଧାରଣ କରିଥାନ୍ତି। ଏଥିରେ ସାଧାରଣ ଲୋକଙ୍କ ଯେତେ ପରିମାଣରେ ଯୋଗଦାନ ରହିବ ସେହି ଆଇନ ଓ ନୀତି ବାସ୍ତବ କ୍ଷେତ୍ରରେ ସେତେ ସଫଳ ହୋଇପାରିବ ।
ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଏକ ଭଲ ଚିନ୍ତାଧାରାରୁ ଏକ ଭଲ ନୀତି ନିର୍ଦ୍ଧାରଣ ହୋଇପାରେ । ବିକଶିତ ଓଡ଼ିଶା ଗଠନରେ ଏଭଳି ଭଲ ଚିନ୍ତାଧାରାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ କିଟ୍ ସ୍କୁଲ୍ ଅଫ୍ ପବ୍ଲିକ ପଲିସିର ଯୋଗଦାନ ରହିବ ବୋଲି ସେ ଆଶା ପୋଷଣ କରିଥିଲେ । ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଥିରେ ଯୋଗଦେଇ କହିଲେ, ସରକାର ଯେତେବେଳେ ଯୋଜନା ପ୍ରସ୍ତୁତ କରନ୍ତି ସେତେବେଳେ କୌଣସି ଜଣେ ବ୍ୟକ୍ତି ପାଇଁ ନୁହେଁ, ସମୂହ ବିକାଶ ନିମନ୍ତେ ନୀତି ପ୍ରସ୍ତୁତ କରିଥାନ୍ତି ।
ସମାଜର ସବୁଠାରୁ ତଳସ୍ତରର ଲୋକଙ୍କ ନିକଟରେ ଯେପରି ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରିବ ତାହାକୁ ଦୃଷ୍ଟିରେ ଲୋକନୀତି ପ୍ରସ୍ତୁତ ହେବା ଦରକାର । ଏଭଳି ନୀତି ପ୍ରସ୍ତୁତ ହେବା ଦରକାର ଯେଉଁଠି ସରକାର ଅପେକ୍ଷା ସାଧାରଣ ଲୋକଙ୍କ ଭାଗୀଦାରି ଅଧିକ ରହିଥିବ ବୋଲି ସେ କହିଥିଲେ । ସ୍ୱାଗତ ଭାଷଣ ଦେବା ସହ ଶ୍ରୀ ସାମନ୍ତ କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉପରେ ସୂଚନା ଦେଇ କହିଲେ, ଏହା ଏକ ବର୍ଷିଆ ପାଠ୍ୟକ୍ରମ ହୋଇଥିବା ବେଳେ ଏଥିରେ ନଲେଜ ପାର୍ଟନର ଅଛନ୍ତି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ୱାର୍ଲଡ ଆଫାୟାରସ (ଆଇସିଡବ୍ଲୁଏ) ଓ ଇଟାଲିର ଟରେନ୍ସ୍ଥିତ ୟୁନାଇଟେଡ୍ ନେସନ୍ସ ସିଷ୍ଟମ୍ ଷ୍ଟାଫ୍ କଲେଜ (ୟୁଏନ୍ଏସ୍ଏସ୍ସି)।
ସୂଚନାମୁତାବକ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।