SunstarTV
ୟୁକ୍ରେନ-ରୁଷ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି। ରୁଷ୍ର କାଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମଙ୍ଗଳବାର ପୁଟିନଙ୍କ ସହିତ ମୋଦୀ ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ଏହା କହିଛନ୍ତି। ପୁଟିନଙ୍କୁ ମୋଦୀ କହିଛନ୍ତି ଯେ ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ସେ ତାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି।
ସୂଚନା ମୁତାବକ ରୁଷ୍-ୟୁକ୍ରେନ ଯୁଦ୍ଧକୁ ଦୁଇବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ହୋଇପାରୁ ନାହିଁ। ତେଣୁ ଯୁଦ୍ଧ ପରିବର୍ତ୍ତେ କୂଟନୈତିକ ଆଲୋଚନା ଦ୍ବାରା ବିବାଦର ସମାଧାନ ପାଇଁ ଉଭୟ ଦେଶ ଆଗେଇ ଆସିବା ଦରକାର ବୋଲି ମୋଦୀ କହିଛନ୍ତି। ଗତ ଜୁଲାଇରେ ମଧ୍ୟ ମୋଦୀ ତାଙ୍କ ରୁଷ୍ ଗସ୍ତ କାଳରେ ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ପୁଟିନଙ୍କୁ କହିଥିଲେ। ଗତ ଜୁଲାଇରେ ଭାରତ-ରୁଷ୍ ମଧ୍ୟରେ ୨୨ତମ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ରୁଷର କାଜାନ ସହରରେ ପୁଟିନଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଛି। ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ଭାରତ, ରୁଷ୍ ବ୍ୟତୀତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ ସଦସ୍ୟ ରହିଛନ୍ତି। ଏହି ସମ୍ମିଳନୀ ଅବସରରେ ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଅନ୍ୟାନ୍ୟ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି।