ଆଳୁ ୪୦ କୁ ପିଆଜ ୭୦ । ସରକାରଙ୍କ କଥାକୁ ନାହିଁ ଖାତିର । ଚଢା ଦରରେ ପରିବା ବିକୁଛନ୍ତି ବେପାରି । ‘ଦାନା’ ପାଇଁ ପରିବା ବଜାରରେ ଝଡ ।
ବାତ୍ୟା ପାଇଁ ହାଟରେ ଗ୍ରାହକ ହାଉଜାଉ । ଦର ପଚାରିବାକୁ ସମୟ ନାହିଁ କି ବଛାବଛି କରିବାକୁ ବି ଫୁରସତ୍ ନାହିଁ । କିଏ ବ୍ୟାଗ ଭର୍ତ୍ତି ପରିବା କିଣି ନେଲାଣି ତ ଆଉ କିଏ ଆଳୁ-ପିଆଜ କିଣୁଛି । ରାସନ ଦୋକାନରେ ଚୁଡା, ଚାଉଳ, ଡାଲି, ତେଲ ସମେତ ଅନ୍ୟ ରୋଷେଇ ସାମଗ୍ରୀ କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ । ଖାଲି ସେତିକି ନୁହେଁ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପରିବା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଦର ଦାମ ଆକାଶ ଛୁଇଁଥିବା ବେଳେ ଆରମ୍ଭ ହୋଇଗଲାଣି କଳାବଜାରୀ । ସରକାରଙ୍କ କଥାକୁ ଖାତିର ନକରି ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରି । ଆଉ ବାତ୍ୟା ପୂର୍ବରୁ ଘରେ ସବୁ ଜିନିଷ ସାଇତି ରଖିବାକୁ ବଜାରରେ ନାହିଁ ନଥିବା ଭିଡ ଜମାଉଛନ୍ତି ରାଜଧାନୀବାସୀ ।
ସେପଟେ ବଜାରରେ ଲୋକଙ୍କ ଭିଡ କଳାବଜାରୀ ପାଇଁ ସୁହାଉଛି । ବାତ୍ୟା ଖବର ଆସିବା ପରେ ସାଧାରଣ ଲୋକଙ୍କ ଆତୁରତାର ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଗତକାଲି ଭୁବନେଶ୍ୱରରେ ଆଳୁ କିଲୋ ପିଛା ୩୨ ଥିଲା, ଆଜି ପହଞ୍ଚିଛି ୪୦ରେ । ପିଆଜ ୬୦ରୁ ପହଞ୍ଚିଲାଣି ୭୦ରେ । ରାଜଧାନୀ ଭୁବନେଶ୍ୱର ୧ ନମ୍ବର ହାଟରେ ମଧ୍ୟ ସମାନ ସ୍ଥିତି|
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସଫା ସଫା କହିଛନ୍ତି, ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।