ସରକାର ବିରୁଦ୍ଧରେ ମେଣ୍ଟ ଗଢ଼ିବା ଆରମ୍ଭ କରିଛନ୍ତି ବିଜେଡ଼ିର ପରାଜିତ ନେତା । ବିଜେଡ଼ି ମେଳିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଦଳର ପରାଜୟ ହେଉ ଅବା ବିଜୟ ନେତାଙ୍କ ବନ୍ଧୁ ମିଳନ, ଯଦିଓ ସାଧାରଣ କଥା କିନ୍ତୁ ୨୪ ବର୍ଷର ସରକାର ଭାଙ୍ଗିବା ପରେ ବିଜେଡ଼ି ନେତାଙ୍କ ବନ୍ଧୁ ମିଳନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କିଛି ଗୋଷ୍ଠୀ । ସବୁଠାରୁ ବଡ଼ କଥା ହେଉଛି ବିଜେଡ଼ି ହାରିବା ପରେ ସମ୍ବିତଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କର ଦେଖା ମିଳୁନଥିଲା । ଏପରିକି ରାଜ୍ୟରେ ବଡ଼ ବଡ଼ ରାଜନୀତିକ ବୟାନ ବାଜି ଚାଲିଥିବା ବେଳେ ମଧ୍ୟ ଚୁପ୍ ରହିଥିଲେ ବିଜେଡିର ବରିଷ୍ଠ ନେତା । କିନ୍ତୁ ହଠାତ୍ ବିଜେଡ଼ି ନେତାଙ୍କ ଏଭଳି ମେଳି ଚର୍ଚ୍ଚା ବଢ଼ାଇଛି ।
ନିକଟରେ ଦଳ ହାରିବା ନେଇ ନବୀନଙ୍କୁ ଦୋଷ ଦେଇଛନ୍ତି କିଛି ଦଳୀୟ କର୍ମୀ । ଆଉ ବିଜେଡିରେ ବରିଷ୍ଠ ନେତାମାନଙ୍କ ବୟାନବାଜିରେ ଲଗାମ ଲାଗୁ ନଥିଲା ବେଳେ ଏବେ ବିଜେଡ଼ି ମେଳି ପୁଣି ଚର୍ଚ୍ଚାକୁ ଆସିଛି। ଦଳର ସାତ ଜଣ ପରାଜିତ ପ୍ରାର୍ଥୀ ଭୁବନେଶ୍ବରରେ ଏକାଠି ବସିଥିବାର ଏକ ଫଟୋ ଭାଇରାଲ୍ ହୋଇଛି। ଏମାନେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ଏକାଠି ହୋଇଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତେଜୁଥିବା ବେଳେ ଏମାନଙ୍କ ମେଳି ପଛରେ କିଛି ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ଜୋର୍ ଧରିଛି।
ଖାରବେଳନଗରର ଏକ ହୋଟେଲରେ ଏକାଠି ହୋଇଥିବା ଏହି ପୂର୍ବତନ ବିଧାୟକମାନେ ହେଲେ ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ରୁଦ୍ର ମହାରଥୀ, ଦେବେଶ ଆଚାର୍ଯ୍ୟ ଓ ଅଂଶୁମାନ ମହାନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲା ବେଳେ ସମ୍ବିତଙ୍କ ପତ୍ନୀ ପ୍ରାର୍ଥୀ ହୋଇ ହାରିଥିଲେ। ଏମାନଙ୍କ ଭିତରେ ଆଉ ଏକ ସାମଞ୍ଜସ୍ୟ ହେଲା ସମସ୍ତେ ପାରିବାରିକ ସୂତ୍ରରେ ରାଜନୀତିକୁ ଆସିଛନ୍ତି। ବାପାଙ୍କ ପରେ ଉତ୍ତରାଧିକାରୀ ସୂତ୍ରରୁ ପୁଣି ଦଳୀୟ ଟିକେଟ ପାଇଁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥର ଅଧିକାଂଶ ଜାଗାରେ ପାରିବାରିକ ରାଜନୀତିକୁ ଭୋଟରମାନେ ନାପସନ୍ଦ କରିଥିଲା ବେଳେ ଏମାନେ ସମସ୍ତେ ବି ଚିତପଟ୍ଟାଙ୍ଗ ମାରିଥିଲେ।
କିନ୍ତୁ ନିର୍ବାଚନର ଚାରି ମାସ ପରେ ହଠାତ କ’ଣ ଆବଶ୍ୟକ ପଡ଼ିଲା ଯେ ସମସ୍ତେ ଏକାଠି ହେଲେ, ତାହା ରହସ୍ୟଜନକ ହୋଇପଡ଼ିଛି। ସେମାନେ ବସିଥିବାର ଫଟୋ କେହି ଅଜାଣତରେ ଉଠାଇ ଭାଇରାଲ୍ କରିନି। ସମସ୍ତେ ଫଟୋ ପାଇଁ ପୋଜ୍ ଦେଇଛନ୍ତି। ଆଉ ସେମାନଙ୍କ ଜାଣତରେ ହିଁ ଫଟୋ ବାହାରକୁ ଯାଇଥିବା ଜଣାପଡ଼ିଛି। ତେଣୁ ସେମାନେ ଏକାଠି ହୋଇଛନ୍ତି ବୋଲି ସମସ୍ତଙ୍କୁ ଜଣାଇବାକୁ ହିଁ ଚାହିଛନ୍ତି। ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ୁଥିଲା ବେଳେ ଏମାନେ ମେଳି କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ମେଳି ସମ୍ପର୍କରେ କେବଳ ସମ୍ବିତ ରାଉତରାୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ଏହା ବିଦ୍ରୋହୀ ମେଳି ନୁହେଁ ଲିଗାସି ମେଳି। ବିଜୁ ଲିଗାସିମାନେ ଏକତ୍ର ହେବା ପାଇଁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ନିର୍ବାଚନ ପରେ ଆମେ ସବୁ ଏକାଠି ହୋଇ ନଥିଲୁ। ତେଣୁ ଏକାଠି ବସି ଜଳଖିଆ ଖାଇଲୁ।’ ତେବେ ଏହି ମେଳି ଆଗାମୀ ଦିନ ପାଇଁ ରାଜନୀତି କ୍ଷେତ୍ରରେ ରଣନୀତି ପ୍ରସ୍ତୁତର ଏକ କାର୍ଯ୍ୟକ୍ରମ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।