ଚାନ୍ଦବାଲି ବ୍ଳକର ବିଭିନ୍ନ ସ୍ଥାନରେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ମତୋର ପ୍ରସିଦ୍ଧ ଐତିହାସିକ ଗଜଲକ୍ଷ୍ମୀ ପୂଜା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପବିତ୍ର ଲକ୍ଷ୍ମୀପୂଜା ପାଇଁ ମତୋ ସମେତ ଆଖପାଖ ଅଞ୍ଚଳ ହୋଇ ଉଠିଛି ଚଳଚଞ୍ଚଳ । ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଦଳୀୟ କର୍ମୀ ମାନଙ୍କ ସହ ମା ଙ୍କର ଦର୍ଶନ କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମା ଲକ୍ଷ୍ମୀ ଙ୍କର ଦର୍ଶନ କରିବା ସହ ମଙ୍ଗଳ କାମନା କରିଛନ୍ତି l ଚାନ୍ଦବାଲି ବ୍ଳକର ସର୍ବ ପୁରାତନ ଏହି ପୂଜା ମଣ୍ଡପରେ ଆଜକୁ ଦୀର୍ଘ ୮୦ ବର୍ଷ ଧରି ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ । କୁମାର ପୂର୍ଣ୍ଣିମା ସନ୍ଧ୍ୟାରୁ ଆରମ୍ଭ ହୋଇ ଦୀର୍ଘ ସାତଦିନ ଧରି ଏଠାରେ ମାଆଙ୍କ ପୂଜାର୍ଚ୍ଚନା ଚାଲେ । ମାଆଙ୍କ ଦର୍ଶନ ସାଙ୍ଗକୁ ଅପେରା ପାର୍ଟି, ମିନା ବଜାର ,ଗୁପଚୁପ, ଚାଟ ଆଦି ଖାଦ୍ୟ ପଦାର୍ଥର ମଜା ନେଇଥାନ୍ତି ଦର୍ଶକ । ସନ୍ଧ୍ୟା ହେଲେ ମେଳା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକଙ୍କ ସୁଅଛୁଟେ । ଭିଡକୁ ଲକ୍ଷ୍ୟ ରଖି ଚାନ୍ଦବାଲି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ବୋଲି ଚାନ୍ଦବାଲି ଥାନାଧିକାରୀ ପଞ୍ଚାନନ ନାୟକ ଓ ଏସ ଡି ପି ଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି ।