ଦେଶ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଛି ବିଜେପି । ମିଛ ପ୍ରତିଶ୍ରୁତି ଦେଇ ଶାସନକୁ ଆସିବା ପରେ ସାଧାରଣ ଲୋକଙ୍କୁ ପ୍ରତାରିତ କରିବା ସହ ରାଜ୍ୟର ଜନସାଧାରଣଙ୍କ ଉପରେ ଋଣର ବୋଝ ଲଦି ଚାଲିଛି ବିଜେପି – ଏମିତି କିଛି କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ସନ୍ତୋଷ ଦାସ । ଚାନ୍ଦବାଲିର ବିଜୁସ୍ମୃତି ଭବନ ପରିସରରେ ଦୁଇଦିନ ଧରି ଚାଲିଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୧ତମ ଜିଲ୍ଲା ସମ୍ମିଳନୀରେ ଆଜି ଉଦଜ୍ଜାପିତ ହୋଇ ଯାଇଛି । ସାରା ଦେଶରେ କମ୍ୟୁନିଷ୍ଟ ପାର୍ଟିର ସମ୍ମିଳନୀ ଚାଲୁ ରହିଛି ,ଏହି ସମ୍ମିଳନୀ ମାଧ୍ୟମରେ ପାର୍ଟିର ନୀତିନିର୍ଧାରଣ କରାଯିବା ସହ ସଭ୍ୟ ସଂଗ୍ରହ କରାଯାଉଛି ବୋଲି ବକ୍ତା ମାନେ ମତ ରଖିଥିଲେ । ଏହି ସମ୍ମିଳନୀରେ ପୂର୍ବ ନବୀନ ପଟ୍ଟନାୟକ ସରକାରଙ୍କ କାର୍ଯ୍ୟଧାରାକୁ ପ୍ରସଂଶା କରାଯିବା ସହ ବର୍ତ୍ତମାନର ବିଜେପି ସରକାରଙ୍କୁ ବକ୍ତା ମାନେ କଡା ସମାଲୋଚନା କରିଥିଲେ । ଏଥିରେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।