Sunstar Tv
Cyclone Alert: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆଣ୍ଡାମାନ ନିକଟରେ ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ୨ ଦିନ ପରେ ୨୨ ତାରିଖରେ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ।
ପରେ ଏହା ଆହୁରି ଘନୀଭୂତ ହେବା ନେଇ ଆକଳନ କରାଯାଉଛି। ଉପଗ୍ରହର ଏହି ଚିତ୍ର ବୟାନ କରୁଛି ଯେ ଉତ୍ତର ଆଣ୍ଡାମାନ ସାଗର ନିକଟରେ ହଲଚଲ ଆରମ୍ଭ ହୋଇଯାଇଛି।
ଏଠାରେ ସମୁଦ୍ର ଉପରିଭାଗର ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ଅଧିକ ରହିଛି। ଫଳରେ ଏଠାରେ ସମୁଦ୍ର ଉପରିସ୍ଥ ବାୟୁମଣ୍ଡଳର ତାପମାତ୍ରା ବଢ଼ିଯାଇଛି। ତାପମାତ୍ରା ବଢ଼ିବା ଫଳରେ ଏଭଳି ହଲଚଲ ଆରମ୍ଭ ହୋଇଯାଇଛି। ପ୍ରକୃତରେ ଦକ୍ଷିଣ ଚାଇନା ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି ।
ଧିରେ ଧିରେ ଏହା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ଏହି ପ୍ରକିୟା ଆରମ୍ଭ ହୋଇଯାଇଥିବାରୁ ଉପର ଆକାଶରେ ବାଦଲ ସଂଗଠିତ ହେବା ଆରମ୍ଭ ହୋଇଯାଇଛି।
୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଉଛି । ଧିରେ ଧିରେ ଏହା ବଳ ଗୋଟାଇବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୩ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ।
ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ଏହାଛଡ଼ା କଟକ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହେବ ।
ଯଦି ଏହି ଅବପାତ ଉତ୍ତର ପଶ୍ଚିମକୁ ଗତି କରେ, ତେବେ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ୨୩ ତାରିଖରେ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିଯିବାର ସମ୍ଭାବନା ରହିଛି।
ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ କରିଛନ୍ତି।
ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମ- GFS ପୂର୍ବାନୁମାନ କରିଛି ଯେ, ଏହି ବାତ୍ୟା ବାଲେଶ୍ବର ଓ ଦୀଘା ମଧ୍ୟରେ ଅତିକ୍ରମ କରିପାରେ। ସେପଟେ ଆଉ ଏକ ୟୁରୋପିଆନ୍ ମଡେଲ -ECMWF ପୂର୍ବାନୁମାନ କରିଛି ଯେ, ଗୋପାଳପୁର ନିକଟରେ ଏହି ବାତ୍ୟା ଓଡ଼ିଶାର ସ୍ଥଳଭାଗ ଅତିକ୍ରମ କରିବ।
ସେପଟେ ସବୁଠାରୁ ଭରସା ଯୋଗ୍ୟ ଭାରତୀୟ ପାଣିପାଗ ବିଭାଗ କହିଛି, ୨୪ ତାରିଖରେ ଏହା ଅବପାତର ରୂପ ନେବ। ତେବେ ଏହା ପରେ କଣ ହେବ ସେନେଇ ପୂର୍ବାନୁମାନ କରାଯାଇ ନାହିଁ।
ଅକ୍ଟୋବର ମାସ ବାତ୍ୟାର ମାସ କୁହାଯାଉ ଥିବାବେଳେ IMDର ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି, ୨୦ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା କୁଆଡ଼େ ଗତି କରିବ ତାହା ଜଣାପଡ଼ିବ।
ତେବେ ବାତ୍ୟା ପାଇଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପରିସ୍ଥିତି ବେଶ ଅନୁକୂଳ ଅଛି ବୋଲି କୁହାଯାଉଛି। ତେବେ ଏହାର ପ୍ରଭାବରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ଏବଂ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।