ରାଜ୍ୟବାସୀଙ୍କ ସହ ମିଛ ଓ ପ୍ରତାରଣା କରିଛନ୍ତି ମୋହନ ସରକାର । ବିଜୁଳି, ସୁଭଦ୍ରା , ଭତ୍ତା ସବୁଥିରେ ଠକିବାରେ ଲାଗିଛନ୍ତି । ମୋହନ ସରକାରଙ୍କ ମିଛ ପାଇଁ ଏବେ ରାଜ୍ୟରେ ବିରୋଧ ନିଆଁ କୁହୁଁଳିବାରେ ଲାଗିଲାଣି । କାରଣ ରାଜ୍ୟରେ ବିଜେପି ସରକାର ଗଠନ ହେବାର ୪ ମାସ ବିତିଲାଣି। ମାତ୍ର ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ସବୁ ବୟସ୍କ ଲୋକଙ୍କ ପାଇଁ ବର୍ଦ୍ଧିତ ଭତ୍ତା ପ୍ରଦାନରେ ସରକାର ବ୍ୟର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଯେଉଁ ୪ ଲକ୍ଷ ଅଶୀବର୍ଷରୁ ଊଦ୍ଧ୍ୱର୍ ବୟସ ଓ ୮୦%ରୁ ଊଦ୍ଧ୍ୱର୍ ଅକ୍ଷମ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ଘୋଷଣା କରିଥିଲେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇ ପାରି ନାହିଁ। ବର୍ତମାନ ମଧୁବାବୁ ପେନ୍ସନ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ରାଶି ପ୍ରଦାନ କରାଯାଇଥିଲେ ହେଁ ଅତି ବୟସ୍କ ଅର୍ଥାତ୍ ୮୦ବର୍ଷରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ବର୍ଦ୍ଧିତ ୩୫୦୦ ଟଙ୍କା ଭତ୍ତା ପରିବର୍ତ୍ତେ ପୁରୁଣା ସରକାରଙ୍କ ଦ୍ୱାରା ପ୍ରଚଳିତ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଛି। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ଗଠନ କଲେ ସବୁ ବୟସ୍କ ନାଗରିକମାନଙ୍କୁ ୩୦୦୦ ଟଙ୍କା ଭତ୍ତା ଦେବାକୁ ବିଜେପି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା। ଦଳର ସଂକଳ୍ପ ପତ୍ରରେ ଏହା ଉଲ୍ଲେଖ କରାଯାଇଥିଲା ଓ ରାଜ୍ୟକୁ ନିର୍ବାଚନ ପ୍ରଚାରରେ ଆସିଥିବା ଦଳର ଜାତୀୟ ନେତାଙ୍କ ସହ ରାଜ୍ୟ ନେତାମାନେ ମଧ୍ୟ ପ୍ରଚାର ବେଳେ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ମାତ୍ର କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତିରୁ ମୁହଁ ଫେରାଇ ନେଇଥିଲେ ରାଜ୍ୟର ବିଜେପି ସରକାର। ସମସ୍ତଙ୍କ ପରିବର୍ତ୍ତେ ମୋଟ ହିତାଧିକାରୀଙ୍କ ପରିବର୍ତ୍ତେ କେବଳ ୮୦ ବର୍ଷ ବୟସରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। କ୍ୟାବିନେଟ୍ରେ ଏହି ପ୍ରସ୍ତାବ ପାସ୍ ହେଲା ଓ ବିଧାନସଭାରେ ବଜେଟ ଅଭିଭାଷଣ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ଏହା ଉଲ୍ଲେଖ କଲେ। ମାତ୍ର ସରକାର ଗଠନର ୪ ମାସ ବିତିଲାଣି, ବଜେଟ୍ ଅଧିବେଶନ ସରିବା ପ୍ରାୟ ୨ ମାସ ହେଲାଣି, ତଥାପି ୮୦ ବର୍ଷରୁ ଊଦ୍ଧ୍ୱର୍ ଅତି ବରିଷ୍ଠ ନାଗରିକମାନଙ୍କୁ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିପାରିଲା ନାହିଁ । ଚଳିତ ମାସରେ ବର୍ଦ୍ଧିତ ଭତ୍ତା ମିଳିବ ବୋଲି ଆଶା ବାନ୍ଧି ବସିଥିବା ଏହି ଅତି ବରିଷ୍ଠ ନାଗରିକମାନେ ପୁଣିଥରେ ନିରାଶ ହୋଇଛନ୍ତି । ସରକାରଙ୍କ ଏପରି ଆଚରଣ ସେମାନଙ୍କ ପାଇଁ ପରିହାସ ହୋଇଛି ବୋଲି ଜୀବନର ସାୟାହ୍ନରେ ପହଞ୍ଚିଥିବା ଅସହାୟ ବୃଦ୍ଧ, ବୃଦ୍ଧାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ପ୍ରତିଶ୍ରୁତି ଓ ସରକାର ଗଠନ ପରେ ଏହାକୁ ପୂରଣରେ ବିଜେପି ସରକାରଙ୍କ ଅପାରଗତାକୁ ନେଇ ଏବେ ସବୁଆଡେ଼ ଅସନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟର ୫୫ ଲକ୍ଷ ବୟସ୍କ ନାଗରିକ ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ପାଇଁ କରିଥିବା ଘୋଷଣାରୁ ଓହରି ଯାଇ ବିଜେପି ସରକାର ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି। ନିଜ ଘୋଷଣାର ଅନୁପାଳନ କରିବାରେ ବ୍ୟର୍ଥ ହୋଇ ବିଜେପି ସରକାର ବିରୋଧୀ ବିଜେଡି ଓ କଂଗ୍ରେସର କଟୁ ସମାଲୋଚନାର ଶିକାର ହୋଇଥିଲେ ବି ନିରବ ରହିଛନ୍ତି।
ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁସାରେ ୩୫୦୦ ଟଙ୍କା ଭତ୍ତା ପାଇବାକୁ ଯୋଗ୍ୟ ରାଜ୍ୟର ୪ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ ବର୍ଦ୍ଧିତ ଭତ୍ତାକୁ ଚାହିଁ ବସିଛନ୍ତି। ଏହି ବୟସ ବର୍ଗର ଅନେକ ଲୋକ ଇତିମଧ୍ୟରେ ମୃତ୍ୟୁବରଣ କରି ସାରିଲେଣି, ତଥାପି ବର୍ଦ୍ଧିତ ଭତ୍ତା ପ୍ରଦାନ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସାମାଜିକ ସୁରକ୍ଷା ଭତ୍ତାଗୁଡ଼ିକ ପ୍ରାୟ ପ୍ରତି ମାସର ୧୫ରୁ ୧୬ ତାରିଖ ମଧ୍ୟରେ ପ୍ରଦାନ କରାଯାଇଥାଏ । ମାତ୍ର ଏହି ଅବଧି ବିତି ଯିବା ସତ୍ତେ୍ୱ ଅତି ବରିଷ୍ଠ ନାଗରିକଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଇ ନାହିଁ । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କୁ ସମାଜର ସବୁଠାରୁ ଦୁର୍ବଳ ବର୍ଗ ରୂପେ ଅଭିହିତ କରାଯାଇଥାଏ । ମାତ୍ରଏହି ବର୍ଗର ଲକ୍ଷଲକ୍ଷ ହିତାଧିକାରୀଙ୍କ ସହ ସରକାରଙ୍କ ଛଳନାକୁ ସାଧାରଣ ଲୋକମାନେ ଗ୍ରହଣ କରିପାରୁ ନାହାନ୍ତି । ରାଜ୍ୟ ସରକାର ଯେପରି ଢଙ୍ଗରେ ନିଜ ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ବୟସ୍କ ନାଗରିକମାନେ ପ୍ରକାଶ କରିଛନ୍ତି।