SunstarTV
ନୟବ ସିଂ ସୈନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହହରିୟାଣା ରାଜ୍ୟପାଳ ବନ୍ଦରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିଏମ୍ ସୈନିଙ୍କ ସହ ୧୩ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ସହ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିଛି। ସୈନି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ରାଜନାଥ ସିଂ, ଜେପି ନାଡାଙ୍କ ସମେତ ଅନେକ ଏନଡିଏ ନେତା ଉପସ୍ଥିତ ଥିଲେ।
ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଉତ୍ସବର ଭବ୍ୟ ଆୟୋଜନ ହୋଇଥିଲା। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି।
ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ପରେ ୮ରେ ଭୋଟ୍ ଗଣତି ହୋଇଥିଲା। ସମସ୍ତ ଏଗଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେପି ଲଗାତାର ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଥିଲା। ରାଜ୍ୟର ମୋଟ ୯୦ ଆସନରୁ ବିଜେପିକୁ ୪୮ଟି ଆସନ ମିଳି ଥିବାବେଳେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା।
ଫଳରେ ବହୁମତ ସହ ଦଳ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ସୈନି କୁରୁକ୍ଷେତ୍ର ଜିଲ୍ଲାର ଲଦୱା ଆସନରୁ ବିଜୟୀ ହୋଇଛନ୍ତି।
ସେପଟେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପରେ NDAର ସଦସ୍ୟ ଦଳକୁ ନେଇ ଜରୁରୀ ବୈଠକ କରିବ ବିଜେପି। ଦେଖିବାକୁ ଗଲେ ଗତ୧୦ବର୍ଷ ଧରି କ୍ଷମତାରେ ଥିବା ବିଜେପି ଏଥର ହରିୟାଣାରେ ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରିଛି।