Sunstar Tv
Brain stroke cause& Symptoms: ବ୍ରେନ ଷ୍ଟ୍ରୋକ୍ ଏମିତି ଏକ ମାରାତ୍ମକ ରୋଗ, ଯେଉଁଥିରେ ରୋଗୀର ବଞ୍ଚିବା ଆଶା ଖୁବ୍ କମ୍ । ଅସ୍ବାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଷ୍ଟ୍ରୋକ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମସ୍ତିଷ୍କର କୌଣସି ଅଂଶରେ ରକ୍ତ ପ୍ରବାହ କମ୍ ହେଲେ କିମ୍ବା ରକ୍ତ ଜମାଟ ବାନ୍ଧିଲେ ଷ୍ଟ୍ରୋକ ହୋଇଥାଏ ।
ଏଥିରେ ମସ୍ତିଷ୍କ ଟିସୁରେ ଅକ୍ସିଜେନ ଓ ଓ ଅନ୍ୟ ପୋଷକ ତତ୍ତ୍ବ ପହଞ୍ଚିପାରି ନଥାଏ । ଏହାଫଳରେ ମସ୍ତିଷ୍କରେ ଥିବା କୋଷିକାଗୁଡିକୁ ନଷ୍ଟ ହେବାର ଲାଗିଥାଏ । ଯଦିଓ ଯେକୌଣସି ବୟସରେ ବ୍ରେନ ଷ୍ଟ୍ରୋକ ହୋଇପାରେ, ହେଲେ ସାଧାରଣତଃ ବୟସ ବଢିବା ସହ ଷ୍ଟ୍ରୋକ ଆଶଙ୍କା ଅଧିକ ବୃଦ୍ଧି ପାଏ ।
୫୫ ବର୍ଷ ପରେ ଏହି ଆଶଙ୍କା ଦୁଇଗୁଣା ହୋଇଯାଏ । ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ଡାଇବେଟିସ, ହୃଦରୋଗ, ମେଦବହୁଳତା, ଧୂମ୍ରପାନ ଇତ୍ୟାଦି ଷ୍ଟ୍ରୋକର ପ୍ରମୁଖ କାରଣ।
କିଛି ଅଧ୍ୟୟନରୁ କୁହାଯାଇଛି, ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ଅଧିକ ଷ୍ଟ୍ରୋକ ହୋଇଥାଏ । ମେଦବହୁଳତା, ହାଇ ବ୍ଲଡପ୍ରେସର, ହାଇ କୋଲେଷ୍ଟ୍ରଲ, ଡାଇବେଟିସ, ହୃଦରୋଗ, ଅତ୍ୟଧିକ ଧୂମ୍ରପାନ ମଦ୍ୟପାନ କରୁଥିବା ଲୋକଙ୍କୁ ଷ୍ଟ୍ରୋକ ହେବାର ବିପଦ ଅଧିକ ଥାଏ । ଷ୍ଟ୍ରୋକ ସାଧାରଣତଃ ଦୁଇ ପ୍ରକାରର ।
ଗୋଟିଏ ହେଲା ଇସେମିକ ଷ୍ଟ୍ରୋକ, ଯାହା ମସ୍ତିଷ୍କରେ ରକ୍ତ ପ୍ରବାହ ନହୋଇପାରିଲେ ହୁଏ । ଅନ୍ୟଟି- ହେମରଜିକ ଷ୍ଟ୍ରୋକ । ଯଦି କୌଣସି କାରଣରୁ ମସ୍ତିଷ୍କର ଶିରା ଫାଟି ରକ୍ତସ୍ରାବ ହୁଏ ଏହାକୁ ହେମରଜିକ ଷ୍ଟ୍ରୋକ କୁହାଯାଏ ।
ତେବେ କିଛି ସାବଧାନତା ପାଳନ କରି ଆପଣ ଷ୍ଟ୍ରୋକ ଆଶଙ୍କା କମ୍ କରିପାରିବେ…
୧. ଉଚ୍ଚ ରକ୍ତଚାପ କମାଇବା ଏବଂ ନିୟମିତ ଯାଞ୍ଚ କରିବା।
୨. ମଦ୍ୟପାନ, ଧୂମପାନରୁ ଦୂରେଇ ରହିବା।
୩. କୋଲେଷ୍ଟ୍ରଲ କମାଇବା।
୪. ଡାଇବେଟିସ୍ କଣ୍ଟ୍ରୋଲ କରିବା।
୫. ସୁସ୍ଥ ଓଜନ ବଜାୟ ରଖିବା।
୬. ନିୟମିତ ବ୍ୟାୟାମ କରିବା।
୭. ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
ବ୍ରେନ ଷ୍ଟ୍ରୋକର ଲକ୍ଷଣ…
ଯେକୌଣସି ବ୍ୟକ୍ତିଙ୍କ ବ୍ରେନ ଷ୍ଟ୍ରୋକ ହେବା ପୂର୍ବରୁ ଶରୀରରେ କିଛି ଲକ୍ଷଣ ପ୍ରକାଶ ପାଇଥାଏ । ଯଦି ଆପଣ ଏହାକୁ ଚିହ୍ନି ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି ତାହେଲେ ବଡ ବିପଦରୁ ବର୍ତ୍ତିପାରିବେ ।
୧. ହଠାତ୍ ହାତଗୋଡ ଦୁର୍ବଳ ଲାଗିବା । ଶରୀରର ଗୋଟିଏ ପାର୍ଶ୍ବ ଆକାମୀ ହେବା ପରି ଲାଗିବା । ଅଧିକ ହାଲିଆ ଅନୁଭବ ହେବା ।
୨. କଥା କହିବା ବେଳେ ପାଟି ଖନି ମାରିବା, ଭ୍ରମ ହେବା କିମ୍ବା କୌଣସି କଥା ବୁଝିନପାରିବା ।
୩. ଗୋଟିଏ କିମ୍ବା ଉଭୟ ଆଖିରେ ଦୃଷ୍ଟିଶକ୍ତି କମିଯିବା । ହଠାତ୍ ଦେଖିବାରେ ସମସ୍ୟା ହେବା ବା ସବୁକିଛି ଝାପ୍ସା ଦେଖାଯିବା ।
୪. ହଠାତ୍ ମୁଣ୍ଡ ବୁଲାଇଦେବା, ନିଜ ଉପରେ ନିୟନ୍ତ୍ରଣ ନ ରହିବା ।
୫. ଚାଲିବାରେ ସମସ୍ୟା ହେବା କିମ୍ବା ସନ୍ତୁଳନ ନ ରଖିପାରିବା ।
୬. ବିନା କାରଣରେ ହଠାତ୍ ଜୋରରେ ମୁଣ୍ଡ ବିନ୍ଧାହେବା ।
୭. ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।