ଅନେକ ଆଶା ନେଇ ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି।ଧାନ କେଣ୍ଡା ଧରି ଆସିବା ବେଳକୁ ରୋଗପୋକ ଲାଗି ଫସଲ ନଷ୍ଟ ହୋଇଯାଉଛି।ଯେତେ ପ୍ରକାର ଔଷଧ ଦେଲେ ମଧ୍ୟ ସୁଫଳତା ମିଳୁନାହିଁ।ଏବେ ସରକାରୀ ସହଯୋଗ ହିଁ ଏକ ମାତ୍ର ଭରସା ଚାଷୀଙ୍କ ପାଇଁ। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ତିଖାଲି ଚନୁଟ ମାଲ, ବଙ୍କାପୁର, ଦୋହେଲ୍ ପଡ଼ା ଆଦି ଗ୍ରାମର ଚାଷ ଜମି ସବୁରେ ରୋଗପୋକ ଲାଗିଥିବା ଅଭିଯୋଗ ହୋଇଛି। ବିଶେଷ କରି ବି.ପି ଏଚ ଓ
କାଣ୍ଡ ବିନ୍ଧା ରୋଗ ଲାଗିବାରୁ ଧାନ ଗଛ ସବୁ ମରି ଯାଉଛି।ଏହି ରୋଗର ପୋକ ସବୁ ଧାନ ଗଛକୁ ଶୋଷଣ କରି ଦେଉଛନ୍ତି।ଚାଷୀ ମାନେ ନିଜ ଚେଷ୍ଟାରେ ଔଷଧ ଆଣି ସିଞ୍ଚନ କରୁଛନ୍ତି କିନ୍ତୁ କୌଣସି ସୁଫଳତା ମିଳୁନାହିଁ। ଏବର୍ଷ ଭଲ ବର୍ଷା ହେବାରୁ ଭଲ ଅମଳର ଆଶା ରଖିଥିଲେ ଚାଷୀ। କିନ୍ତୁ ରୋଗ ପୋକ ତାଙ୍କ ଆଶାରେ ପାଣି ଭରି ଦେଇଛି। ପ୍ରଥମେ ପ୍ରଥମେ ଅଳ୍ପ ଅଳ୍ପ ଲାଗି ଏବେ ପୁରା ଜମିକୁ ଖାଇ ଯାଉଛି ଏହି ପୋକ। ଫଳରେ ଧାନ ଫସଲ ମରିଯିବା ସହ ଶୁଖି ଯାଉଛି। କୃଷି ଅଧିକାରୀଙ୍କ ପରାମର୍ଶରେ ଔଷଧ ସିଞ୍ଚନ କଲେ ମଧ୍ୟ ସୁଫଳତା ମିଳୁନାହିଁ। ଖାଲି ଖଡ଼ିଆଳ ବ୍ଲକର ଚାଷୀ ନୁହଁନ୍ତି ସିନାପାଲି ବ୍ଲକର ଅନେକ ଗାଆଁରେ ଏହି ଅବସ୍ଥା ଦେଖିବାକୁ ମିଳୁଛି।ଚାଷୀ ମାନଙ୍କୁ ସବସିଡିରେ ବିହନ, ଔଷଧ ଓ ସାର ମିଳିବାର ନିୟମ ଥିଲେ ମଧ୍ୟ ସମସ୍ତେ ଏସବୁ ସବିଧା ପାଇ ପାରୁ ନାହାନ୍ତି।ଧାର କରଜ ଓ ବ୍ୟାଙ୍କ ଋଣ କରି ଚାଷୀ ମାନେ ଏବେ ଚିନ୍ତାରେ, ବର୍ଷ ବର୍ଷ ଏ ଅଞ୍ଚଳ ମରୁଡ଼ିର ଶିକାର ହେଉଥିବା ବେଳେ ଏବର୍ଷ ଭଲ ବର୍ଷା ହୋଇଥିଲା।ଭଲ ଫସଲର ଆଶା ରଖିଥିଲେ ସମସ୍ତେ କିନ୍ତୁ ଏବେ ରୋଗ ପୋକ ପାଇଁ ସବୁ ଆଶା ଫସର ଫାଟି ଯାଉଛି।ଅତିଶୀଘ୍ର ରୋଗ ପୋକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନକଲେ ଚାଷୀଙ୍କ ଭେଳା ବୁଡିଯିବ,ଏହା ନିଃସନ୍ଦେହ।ଏନେଇ ନୂଆପଡ଼ା ଜିଲ୍ଲା କୃଷି ଅଧିକାରୀ ଦିପ୍ତିମୟୀ ବାରିକଙ୍କୁ ପଚାରିବାରୁ କିଛି ଜମିରେ ରୋଗପୋକ ଲାଗିଥିବା ସ୍ୱୀକାର କରି ସ୍ଥିତି ନିୟନ୍ତ୍ରଣ ଥିବା କଥା କହିଛନ୍ତି। କୃଷି ଗ୍ରାମ ସେବକ ମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଓ ଚାଷୀ ମାନଙ୍କୁ ସବସିଡିରେ ଔଷଧ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।