କେନ୍ଦ୍ରାପଡା ଜିଲ୍ଲାରେ ମା’ଙ୍କୁ ବିଦାୟ ଦେଇଛନ୍ତି ଜିଲ୍ଲାବାସୀ । ରାଜନଗରରେ ଭସାଣ ଉତ୍ସବର ଏକ ଭିନ୍ନ ପରମ୍ପରା ରହିଛି । ନଦୀ ମଝିରେ ଚାପ ଖେଳି ବିଦାୟ ନେଇଛନ୍ତି ମହାମାୟା । ଏହି ବିସର୍ଜନକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା ।ପୂଜା ମଣ୍ଡପର କର୍ମକର୍ତ୍ତାମାନେ ମା’ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମର ସହ ନାଚ ଗୀତ ସହ ଭକ୍ତି ଭାବରେ ଶୋଭାଯାତ୍ରାରେ ମେଢ଼ ଗୁଡିକ ବିଭିନ୍ନ ନଦୀରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ନିଆରା ଢଙ୍ଗରେ ମେଲାଣି ନେଇଛନ୍ତି ମା’ । ଏଠାରେ ରାଜା ରାଜୁଡା ସମୟରୁ ପ୍ରଚଳିତ ପରମ୍ପରାକୁ ସମ୍ମାନ ଜଣାଇ ବିଜୟାଦଶମୀ ପର ଦିନ ଭିନ୍ନ ଓ ନିଆରା ଢଙ୍ଗରେ ଦୁର୍ଗତୀନାଶିନୀଙ୍କର ବିସର୍ଜନ କରାଯାଇଥାଏ । ରାଜନଗର ହଁସୁଆ ନଦୀ ମଧ୍ୟରେ ଡଙ୍ଗାରେ ଚାପ ଖେଳି ପ୍ରସିଦ୍ଧ ଭସାଣି ଅନୁଷ୍ଠିତ ହୋଇଥିଲା । ରାଜନଗର ବଜାରରେ ପ୍ରତ୍ୟେକ ବର୍ଷ ୧୭ଟି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ୧୭ଟି ମେଢ଼ରୁ ୪ଟି ମେଢ଼କୁ ହଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଚାପ ଡଙ୍ଗାରେ ବିଜେ କରାଯାଇ ନୌକା ବିହାର କରାଇ ବିସର୍ଜନ କରାଇଥିଲେ । ଏପରି ଏକ ନିଆରା ଭସାଣି ଦୀର୍ଘ 200 ବର୍ଷ ପୁରୁଣା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।ତତ୍କାଳୀନ କନିକା ରାଜା ଭୁଜବଳ ଭଞ୍ଜଦେଓଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମେଲଣକୁ ସ୍ଥାନୀୟ ଲୋକେ କନିକା ରାଜା ଓ ରାଜ ପରିବାରକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ଡଙ୍ଗାରେ ନାବକେଳି କରାଯିବା ପରେ ବିସର୍ଜନ କରାଯାଇଥାଏ । ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମେଲଣରେ ସାମିଲ ହୋଇଥାନ୍ତି । ହଂସୁଆ ନଦୀ କୂଳରେ ଏପରି ଏକ ନିଆରା ଭସାଣି ଉତ୍ସବ ଦେଖିବାକୁ ଏକାଠୀ ହୋଇଥାନ୍ତି । ଉତ୍ସବକୁ ସୁରୁଖୁରରେ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।