ରାଜ୍ୟରୁ ମୌସୁମୀ ଛାଡ଼ିବାକୁ ପାଗ ଅନୁକୂଳ । ଦୁଇଦିନ ମଧ୍ୟରେ ରାଜ୍ୟରୁ ହେବ ମୌସୁମୀ ଅପସାରଣ । ୩୫ ଡିଗ୍ରି ଉପରେ ୧୬ ସହର ତାପମାତ୍ରା ।
ଆଜ୍ଞା ହଁ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଛାଡ଼ିବାକୁ ଏବେ ପାଗ ଅନୁକୂଳ ରହିଛି । ଯଦି ସବୁ କିଛି ଠିକ୍ ଠାକ୍ ଚାଲେ ତେବେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ କରିବାର ସମ୍ଭାବନା ରହିଛି । ଯାହାକି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆହୁରି କୁହାଯାଇଛି ଯେ ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଗତ କିଛି ଦିନ ଧରି ବର୍ଷା ପରିମାଣ ଯଥେଷ୍ଟ କମ୍ ରହିବା ସହ ଆକାଶ ମେଘମୁକ୍ତ ରହୁଛି । ଦିନର ତାପମାତ୍ରା ବୃଦ୍ଧି ପାଉଛି । କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହୁଛି । ଯାହାକି ମୌସୁମୀ ଓଡ଼ିଶା ଛାଡ଼ିବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ବୋଲି ଦର୍ଶାଉଛି ।
ସେପଟେ ବଙ୍ଗୋପସାଗର ମଧ୍ୟରେ ଏକ ସକ୍ରିୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହି ବାୟୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ସଂସ୍ପର୍ଶରେ ଆସି ଓଡ଼ିଶାର କେତେକ ଅଞ୍ଚଳରେ ପାଗ ମେଘୁଆ କରିବା ସହ ବର୍ଷା ସୃଷ୍ଟି କରୁଛି । ଆସନ୍ତା ୫ରୁ ୬ ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଗତକାଲି ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା ।