ଯାଜପୁର ର ପ୍ରମୁଖ ଶକ୍ତି ପୀଠ କ୍ଷ୍ଯେତ୍ରେଶ୍ଵରୀ ମା ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅପରାହ୍ନରେ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତ ପରେ ରାତ୍ରିରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ରଥ ଉପରେ ଯଥା ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ବାଦ୍ୟ ଘଣ୍ଟା ସଂକୀର୍ତ୍ତନ ସହ ଏକ ଶୋଭାଯାତ୍ରାରେ ମାଆଙ୍କ ବିଜେପ୍ରତିମା କୁ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ହେବା ପରେ ପରମ୍ପରା ଅନୁସାରେ ପାପ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମାଙ୍କ ବିଜେପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା । ମାଙ୍କ ଲାଖବିନ୍ଧା ପର୍ଵକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ପର୍ବରେ ଶତାଧିକ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ ମାଙ୍କ ଆଶିଷ କାମନା କରିଥିଲେ। ଆଜି ମାଙ୍କ ପୀଠ ରେ ବିଜୟା ଦଶମୀ ପାଳିତ ହେବ।