SunstarTV
ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନ । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି (ଗୁରୁବାର) ରାତିରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା ।
ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି ।
ସୂଚନାମୁତାବକ ପୋଲସରା ବ୍ଲକର ଘୋଡାପଲାଣ ଗାଁରେ ନୀରଞ୍ଜନଙ୍କ ଜନ୍ମ । ତାଙ୍କ ବାପା ହେଉଛନ୍ତି ବଳି ପ୍ରଧାନ ଓ ମାତା ଧର୍ମୀ ଦେବୀ ।
୧୯୭୯ରେ ରାଜନୀତିରେ ପ୍ରବେଶ କରିଥିଲେ ନିରଞ୍ଜନ । ୧୯୮୦ରେ ଘୋଡ଼ାପଲାଣରୁ ସରପଞ୍ଚ ଭାବେ ଲଢି ବିଜୟୀ ହୋଇଥିଲେ । ଏହାପରେ ୧୯୯୦ରୁ ୧୯୯୩ ମଧ୍ୟରେ ସେ ପୋଲସରା ବ୍ଲକ ଅଧ୍ୟକ୍ଷ ରହିଥିଲେ । ୧୯୯୫ ରେ କୋଦାଳ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଲଢି ପରାଜିତ ହୋଇଥିଲେ । ଏହାପରେ ବିଜେଡି ଟିକେଟରେ ୨୦୦୪ ଓ ୨୦୦୯ରେ ବିଧାୟକ ହୋଇଥିଲେ ନିରଞ୍ଜନ । ୨୦୧୯ରେ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ।