Sunstar Tv
Subhadra Yojana: ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପଠାଇବେ ସରକାର। ମଙ୍ଗଳବାର ସୁଦ୍ଧା ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି।
ତେବେ ଆଜି ଏହି ଟଙ୍କା ଆକାଉଣ୍ଟକୁ ଆସିବାକୁ ଥିବା ବେଳେ ବ୍ୟାଙ୍କ ଆଗରେ ଧାଡି ନଲଗାଇବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେହି ବି ବ୍ୟାଙ୍କ ସମ୍ମୁଖରେ ଭିଡ ଲଗାନ୍ତୁ ନି ଘର ବସି ରୁହନ୍ତୁ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ।
ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ଆକ୍ଟିଭ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ୍ ଆରମ୍ଭ କରାଯାଇନାହିଁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅର୍ଥାତ୍ ୧ ଟଙ୍କା ଆକାଉଣ୍ଟକୁ ଯାଇନଥିଲେ ମଧ୍ୟ ବ୍ୟସ୍ତ ହୁଅନ୍ତୁନି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ୱାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ ମଧ୍ୟ କରାଯାଇଛି।
‘ସୁଭଦ୍ରା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ ସୁଭଦ୍ରାର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋଶାଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର- ୧୪୬୭୮କୁ କଲ୍ କରନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।