ନିଲାମ ହେଲା ଅର୍ପଣ ଚାଉଳ । ୧୦ ହଜାର ୩୨୨ କ୍ୱିଣ୍ଟାଲ ଅର୍ପଣ ଚାଉଳ ନିଲାମ କରିଛି ଶ୍ରୀମନ୍ଦିର ପ୍ରଶାସନ । କ୍ୱିଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ କରାଯାଇଛି । ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ ହୋଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ବେଳେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଆସିଥିଲା । ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇ ଥିଲା । ପୂର୍ବ ସରକାରରେ ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ମହାପ୍ରସାଦ ପ୍ରସ୍ତୁତ କରି ଶ୍ରୀମନ୍ଦିର ଚାରିଦ୍ବାରରେ ବଣ୍ଟା ଯାଉଥିଲା । କିନ୍ତୁ ସରକାର ବଦଳିବା ପରେ ମହାପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ବନ୍ଦ ହୋଇଯାଇଥିଲା । ଫଳରେ ଆହୁରି ବହୁ ପରିମାଣର ଚାଉଳ ରହିଯାଇଥିଲା ।
ସେପଟେ ଏନେଇ ପୁରୀ ଜିଲ୍ଲାପାଳ କହିଥିଲେ ଯେ, ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତାର ବ୍ୟବହାର କରାଯାଇଛି । ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ । ଫଳରେ ବଳକା ଚାଉଳକୁ କଣ କରାଯିବ ବୋଲି ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା । ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ଏହା ପରେ ସଟ୍ ଅକ୍ସନ ଓ ସ୍ପଟ୍ ଅକ୍ସନ ସଂପୂର୍ଣ୍ଣ ହୋଇଥିଲା ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ବଳକା ଚାଉଳ ବ୍ୟବହାର ଉପଯୋଗୀ ନଥିଲା ତେବେ ବିକ୍ରି ହେଲା କିପରି । ଯେଉଁ ଚାଉଳକୁ ଅଯୋଗ୍ୟ କୁହାଯାଉଥିଲା ସେହି ଚାଉଳ ଖାଇବା ଉପଯୋଗୀ ହେଲା କେମିତି । ଏହି ଘଟଣା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ବିକ୍ରି କରିବା ସଦୃଶ । ଶେଷରେ ରାଜ୍ୟ ସରକାରଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚି ପାରିଲାନି ଅର୍ପଣ ଚାଉଳ ।