ସରାସଂପୂର୍ଣ୍ଣ କଲସଂ ରୁଧିରାପ୍ଲୁତମେବ ଚ।
ଦଧାନା ହସ୍ତ ପଦ୍ମଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ।।
ପବିତ୍ର ନବରାତ୍ରୀର ଚତୁର୍ଥ ଦିବସ । ମହାମାୟୀଙ୍କର ଦିବ୍ୟ କୁଷ୍ମାଣ୍ଡା ବେଶ । ନିଜର ସ୍ମିତହାସ୍ୟରେ ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା । ମା’ ଅନାହତ ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି । ତାଙ୍କର ୮ଟି ହାତ ଥିବା କାରଣରୁ ତାଙ୍କୁ ଅଷ୍ଟଭୁଜା କୁହାଯାଏ । ମା ଙ୍କର ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ । ଏବଂ ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ । ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ । ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ । ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ କୁଷ୍ମାଣ୍ଡା କୁହାଯାଇଥାଏ ।
ଏହିଦିନ ସର୍ବପ୍ରଥମେ କଳସ ପୂଜା କରି ମାତା କୁଷ୍ମାଣ୍ଡାଙ୍କୁ ପ୍ରଣାମ କରନ୍ତୁ । ମାଙ୍କୁ ସବୁଜ ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏଥିପାଇଁ ମାଙ୍କୁ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ । ଏହାସହ ପୂଜାରେ ବସିବା ପାଇଁ ସବୁଜ ରଙ୍ଗର ଆସନ ପ୍ରୟୋଗ କରିବା ଉଚିତ୍ । ପୂଜା ସମୟରେ ଗୁଜୁରାତି, ପାନମଧୁରୀ ଅର୍ପିତ କରିବା ଉଚିତ । ଏହା ପରେ ମୁଖ୍ୟ ମନ୍ତ୍ର ‘ଓଁ କୁଷ୍ମାଣ୍ଡା ଦୈବ ନମଃ’ ୧୦୮ ଥର ଜପ କରିବା ଉଚିତ । ଆପଣ ଯଦି ଚାହିଁବେ ତେବେ ସିଦ୍ଧ କୁଞ୍ଜିକା ସ୍ତ୍ରୋତ୍ର ମଧ୍ୟ ଗାଇ ପାରିବେ । ଏହି ନିବେଦନ ସହ ଜଳ ପୁଷ୍ପ ଅର୍ପଣ କରି ମାଙ୍କ ଧ୍ୟାନ କରନ୍ତୁ ।
ଶେଷରେ ମା’ କୁଷ୍ମାଣ୍ଡାଙ୍କ ପୂଜା ପରେ ଏହି ମନ୍ତ୍ର ୨୧ ଥର ଜପ କରନ୍ତୁ ।
ସରାସଂପୂର୍ଣ୍ଣ କଲସଂ ରୁଧିରା ପ୍ଲ ୁତମେବ ଚ।
ଦଧାନା ହସ୍ତ ପଦ୍ମଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ।।
ଶାସ୍ତ୍ରରେ ଉଲ୍ଲେଖ ରହିଛି, ଏହି ମନ୍ତ୍ର ଜପ କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ । ପରିବାରରେ ଖୁସି ଫେରି ଆସିଥାଏ । ଏବଂ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଆୟ ମଧ୍ୟ ବଢିଥାଏ । ତେବେ ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମା କୁଷ୍ମାଣ୍ଡାଙ୍କ ପୂଜା କରିବା ଉଚିତ ।
ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି । ଯାହାକି ଅକ୍ଟୋବର ୩ ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ମା’ଙ୍କ ଚତୁର୍ଥ ସ୍ୱରୂପ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ । ହସ୍ତ ନକ୍ଷତ୍ରରୁ ଆରମ୍ଭ ହୋଇଛି ନବରାତ୍ରି । ଯାହାକି ଅତ୍ୟନ୍ତ ଶୁଭ ଅଟେ । ଶାରଦୀୟ ନବରାତ୍ରିରେ ବୃହସ୍ପତି, ସୂର୍ଯ୍ୟ ଏବଂ ଶନିଙ୍କ ଖାସ ସଂଯୋଗ ରହିଛି । ବୃହସ୍ପତି ସ୍ଥିତିରେ ଦେବୀ ମାଙ୍କ ଆରାଧନା କରିବା ଦ୍ବାରା ଭକ୍ତଙ୍କ ଉପରେ କୃପା ବର୍ଷା ହୋଇଥାଏ ।