SunstarTV
ତେଲେଙ୍ଗାନା କଂଗ୍ରେସ ସରକାରରେ ଜଣେ ମହିଳା ମନ୍ତ୍ରୀଙ୍କ ବିବାଦୀୟ ବୟାନ ଏବେ ବଡ଼ ରୂପ ନେଇଛି । ମନ୍ତ୍ରୀଙ୍କ ବୟାନକୁ ନେଇ ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ରୋଶ ଦେଖାଦେଇଛି । ବିରୋଧୀ ଭାରତ ରାଷ୍ଟ୍ର ସମିତି-ବିଆରଏସର ବରିଷ୍ଠ ନେତା କେ.ଟି ରାମା ରାଓଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ ମନ୍ତ୍ରୀ କୋଣ୍ଡା ସୁରେଖା । ମନ୍ତ୍ରୀ ସୁରେଖାଙ୍କ ଅଭିଯୋଗ ଥିଲା ଯେ, ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥାଙ୍କ ମଧ୍ୟରେ ବିବାହ ବିଚ୍ଛେଦର କାରଣ ଥିଲେ ବିଆରଏସ ନେତା କେ.ଟି ରାମା ରାଓ । ମହିଳାମାନଙ୍କୁ କେଟିଆର ଅପମାନ କରିଥିବା ଅଭିଯୋଗ ଆଣି ମନ୍ତ୍ରୀ ସୁରେଖା ଫିଲ୍ମ ଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ଛାଡପତ୍ରର ଉଦାହରଣ ଦେଇଥିଲେ ।
ବିରୋଧୀ ଦଳ ନେତା କେ.ଟି ରାମା ରାଓ ହିଁ ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥାଙ୍କ ବିବାହ ବିଚ୍ଛେଦ ର କାରଣ ବୋଲି ସେ କହିଥିଲେ । ନାଗା ଚୈତନ୍ୟଙ୍କ ବାପା ତଥା ଅଭିନେତା ନାଗାର୍ଜୁନଙ୍କ ଏନ୍-କନଭେନସନ ସେଂଟର ନ ଭାଙ୍ଗିବାକୁ ବିଆରଏସ ଅଧ୍ୟକ୍ଷ କେ.ଟି ରାମାରାଓ ସାମନ୍ଥାଙ୍କୁ ତାଙ୍କ ନିକଟକୁ ପଠାଇବାକୁ ଦାବି କରିଥିଲେ । କେ.ଟି ରାମାରାଓଙ୍କ ପାଖକୁ ଯିବା ପାଇଁ ନାଗାର୍ଜୁନ ସାମନ୍ଥାଙ୍କୁ ବାଧ୍ୟ କରିଥିଲେ । ସାମନ୍ଥା ମନା କରିବାରୁ ନାଗା ଚୈତନ୍ୟଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ବୋଲି ଚାଚଂଲ୍ୟକର ବୟାନ ଦେଇଥିଲେ କୋଣ୍ଡା ସୁରେଖା ।
ସେପଟେ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିବାଦୀୟ ବୟାନକୁ ଜୋରଦାର ବିରୋଧ କରାଯାଇଛି । ନାଗା ଚୈତନ୍ୟ ମନ୍ତ୍ରୀଙ୍କ ଦାବିର କୌଣସି ଭିତ୍ତି ନାହିଁ ବୋଲି କହିଛନ୍ତି । ସାମନ୍ଥାଙ୍କ ସହ ତାଙ୍କର ଛାଡପତ୍ର ନେଇ ମନ୍ତ୍ରୀଙ୍କ ଦାବି ପୁରା ମିଛ ବୋଲି କହିଛନ୍ତି ନାଗା ଚୈତନ୍ୟ । ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ନାଁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ନାଗା ଚୈତନ୍ୟ କହିଛନ୍ତି । ଏହାସହ ସାମନ୍ଥା ମଧ୍ୟ ସୁରେଖାଙ୍କ ଦାବିକୁ ମିଛ ବୋଲି କହି ସମାଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଲିଗାଲ ଆକସନ ପାଇଁ ନାଗାର୍ଜୁନ ପ୍ରସ୍ତୁତ ହେଉଥିବା ଜଣାପଡିଛି ।
ଆପତ୍ତିଜନକ ବୟାନ ନେଇ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଅଭିନେତ୍ରୀ ସାମନ୍ଥାଙ୍କୁ କ୍ଷମା ମାଗିଛନ୍ତି ମନ୍ତ୍ରୀ ସୁରେଖା । ସାମନ୍ଥା କି ଅନ୍ୟ କାହାକୁ ଆଘାତ ଦେବା ପାଇଁ ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଏକ୍ସରେ କହି କ୍ଷମା ମାଗିଛନ୍ତି ମନ୍ତ୍ରୀ । ଏଥିସହିତ ବୟାନକୁ ସେ ପ୍ରତ୍ୟାହାର କରିଛନ୍ତି ।