ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ସେ କହିଛନ୍ତି, ଅକ୍ଟୋବର ୬ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖ ଯାଏ ଚାଲିବ । edistrict.odisha.gov.in ରେ ଆବେଦନ କରିପାରିବେ ହବିଷ୍ୟାଳୀ । ଏହି ଯୋଜନାରେ ୨୫ ଶହ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ । ସବୁ ବର୍ଷ ଭଳି ସମସ୍ତ ସୁବିଧା ହବିଷ୍ୟାଳୀଙ୍କୁ ଯୋଗାଇ ଦିଆଯିବ।
ଜିଲ୍ଲାପାଳ କହିଛନ୍ତି, ଯେଉଁ ହବିଷ୍ୟାଳୀମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ଏକ ଇଣ୍ଟିମେସନ ଯିବ । ଏଥିସହ ହବିଷ୍ୟାଳୀମାନେ ଶିବିରକୁ ଆସିଲେ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସେମାନଙ୍କୁ ଅନ୍ୟାନ ସୁବିଧା ଯୋଗାଇ ଦିଆଯିବ।
ଆଶ୍ୱିନ୍ୟ ମାସ ଶୁକ୍ଳ ପକ୍ଷ ଏକାଦଶ ତିଥିରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । ହଜାର ହଜାର ହବିଷ୍ୟାଳୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ଦର୍ଶନ କରିବେ । ସକାଳୁ ସକାଳୁ ହବିଷ୍ୟାଳୀ ମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବ୍ରତସଂକଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ପୂଜା କରିବେ।
ତେବେ ପୂର୍ବ ବିଜେଡି ସରକାରରେ ହବିଷ୍ୟାଳୀ ଯୋଜନା ଆରମ୍ଭ ହୋଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।