SunStarTV
ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ଜାରି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ସହର ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଜଳୀୟବାଷ୍ପର ମାତ୍ରା ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ଅଧିକ ରହୁଛି।
କିନ୍ତୁ ଆଜି ଠାରୁ ଅର୍ଥାତ ଗୁରୁବାର ରାଜ୍ୟରେ ଏହି ସ୍ଥିତି ଜାରି ରହିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେନ୍ଦ୍ର ଆକଳନ କରିଛି। ଗତକାଲି ମଧ୍ୟ କିଛି ଜିଲ୍ଲା ରେ କାଁ ଭାଁ ବର୍ଷା ହେଇଥିଲା ।
ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହ ବାତ୍ୟାରେ ପରିଣତ ହେଇପାରେ । ମାତ୍ର ଓଡ଼ିଶା ପାଇଁ କୌଣସି ବାତ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ ସୃଷ୍ଟି ହେବ। ଉପକୂଳଠାରୁ କମ୍ ଦୂରତାରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ଅଧିକ ଘନୀଭୂତ ନ ହୋଇ ଲଘୁଚାପ ରୂପରେ ସ୍ଥଳଭାଗ ଅତିକ୍ରମ କରିବ। ତେବେ ଲଘୁଚାପ ଯୋଗୁଁ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ନେଇ ଆଶଙ୍କା କରାଯାଉଛି।