ଭାରତର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା କମ୍ପାନି ଷ୍ଟାର୍ ହେଲ୍ଥର ଲକ୍ଷ ଲକ୍ଷ ଗ୍ରାହକଙ୍କ ସମ୍ବେଦନଶୀଳ ତଥ୍ୟ ଚୋରି ହୋଇଯାଇଛି । ରିପୋର୍ଟ ଅନୁସାରେ, ହ୍ୟାକର୍ ଦ୍ୱାରା ଚୋରି ହୋଇଥିବା ଗ୍ରାହକଙ୍କ ଏ ତଥ୍ୟ ଇନ୍ଷ୍ଟାଣ୍ଟ ମେସେଜିଂ ପ୍ଲାଟ୍ଫର୍ମ ଟେଲିଗ୍ରାମରେ ଚାଟ୍ବଟ ମାଧ୍ୟମରେ ସର୍ବସାଧାରଣରେ ଉପଲବ୍ଧ ରହିଛି ।ଟେଲିଗ୍ରାମ ମେସେଜିଂ ଆପ୍କୁ ଅପରାଧିକ କାର୍ଯ୍ୟରେ ବ୍ୟବହାର ଲାଗି ଅନୁମତି ଦିଆଯାଉଥିବା ଅଭିଯୋଗରେ କିଛି ସପ୍ତାହ ତଳେ ଏହାର ପ୍ରତିଷ୍ଠାତା ପାଭେଲ ଦୁରୋଭଙ୍କୁ ଗିରଫ କରାଯାଇଥିଲା ।ବର୍ତ୍ତମାନ ଏ ରିପୋର୍ଟ ଏହି ମେସେଜିଂ ଆପ୍ ପାଇଁ ଅଡୁଆକୁ ଆହୁରି ବଢ଼ାଇଦେଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଗ୍ରାହକଙ୍କ ଏ ଡାଟାରେ ନାଁ, ଠିକଣା ଏବଂ ଇ-ମେଲ ସହିତ ମେଡିକାଲ ରିପୋର୍ଟ ଭଳି ସମ୍ବେଦନଶୀଳ ତଥ୍ୟ ରହିଛି । ଚାଟ୍ବଟ୍ର ଜଣେ କଥିତ କ୍ରିଏଟର ଜଣେ ସୁରକ୍ଷା ଗବେଷକଙ୍କୁ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି ପାଇଁ ରହିଛି ଏବଂ ଚାଟ୍ବୋଟକୁ ତଥ୍ୟ ମାଗିବା ପରେ ନମୂନା ମିଳିଯାଉଛି ।
ରୟଟର୍ସ ପ୍ରକାଶ କରିଛି ଯେ, ଚାଟ୍ବଟ୍କୁ ବ୍ୟବହାର କରି ପଲିସି ଏବଂ କ୍ଲେମ୍ର ଦସ୍ତାବିଜ୍ଗୁଡ଼ିକୁ ଡାଉନ୍ଲୋଡ୍ କରାଯାଇପାରିବ । ଏହି ଡାଟାରେ ଷ୍ଟାର୍ ହେଲ୍ଥ ୟୁଜରଙ୍କ ନାଁ, ଫୋନ ନମ୍ବର, ଠିକଣା, ଟିକସ ବିବରଣୀ, ପରିଚୟପତ୍ର, ଟେଷ୍ଟ ରିପୋର୍ଟ ଏବଂ ରୋଗର ଚିକିତ୍ସା ସହ ଜଡ଼ିତ ତଥ୍ୟ ବି ସାମିଲ ଅଛି ।
ଷ୍ଟାର୍ ହେଲ୍ଥ ଆଣ୍ଡ୍ ଆଲାଏଡ୍ ଇନ୍ସ୍ୟୁରାନ୍ସ, ଯାହାର ବଜାର ମୂଲ୍ୟ ୪୦୦ କୋଟି ଡଲାରରୁ ଅଧିକ କମ୍ପାନି ଏକ ବିବୃତିରେ କହିଛି ଯେ, ଏହା ସ୍ଥାନୀୟ ଅଧିକାରୀମାନଙ୍କୁ କଥିତ ଅନଧିକୃତ ଡାଟା ଆକ୍ସେସ୍ର ସୂଚନା ଦେଇଛି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଡାଟାର କୌଣସି ବ୍ୟାପକ ଅପବ୍ୟବହାର କରାଯାଇନାହିଁ ଏବଂ ଗ୍ରାହକଙ୍କ ସମ୍ବେଦନଶୀଳ ଡାଟା ସୁରକ୍ଷିତ ଅଛି । ତେବେ ଚାଟ୍ବଟ୍ ଜରିଆରେ ଉପଲବ୍ଧ ଡାଟାରୁ କମ୍ପାନିର ଦାବି ଭୁଲ ପ୍ରମାଣିତ ହେଉଛି । ଚାଟ୍ବଟ୍ ଫିଚର୍ ମାଧ୍ୟମରେ ଦୁବାଇଭିତ୍ତିକ ଟେଲିଗ୍ରାମ ବିଶ୍ୱର ଅନ୍ୟତମ ବୃହତ୍ ମେସେଞ୍ଜର ଆପ୍ ପାଲଟିଛି । ଏହାର ମାସିକ ସକ୍ରିୟ ଉପଭୋକ୍ତା ସଂଖ୍ୟା ୯୦ କୋଟି । କିନ୍ତୁ ଏହାର ରୁଷଜନ୍ମିତ ପ୍ରତିଷ୍ଠାତା ପାଭେଲ ଦୁରୋଭଙ୍କ ଗତ ମାସ ଫ୍ରାନ୍ସରେ ଗିରଫଦାରୀ ପରେ ଟେଲିଗ୍ରାମ ଉପରେ ଯାଞ୍ଚ ବଢ଼ାଇଦିଆଯାଇଛି । ଅଭିଯୋଗ ରହିଛି ଯେ, ଏହି ଆପ୍କୁ ଅପରାଧ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି । ତେବେ ଅଭିଯୋଗକୁ ଉଭୟ ଦୁରୋଭ ଏବଂ ଟେଲିଗ୍ରାମ ପକ୍ଷରୁ ଖଣ୍ଡନ କରାଯାଇଛି ।