ତିରୁପତି ମନ୍ଦିର ଲଡୁରେ ମିଶୁଛି ଖରାପ ସାମଗ୍ରୀ ଓ ପଶୁ ଚର୍ବି । ରାଜନୀତି ନାଁରେ ଭଗବାନଙ୍କୁ ବି ଛଡାଯାଉ ନାହିଁ । ଜଗନ ପ୍ରଶାସନକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡା ସମାଲୋଚନା । ତିରୁପତି ପ୍ରସାଦରେ ଘିଅ ବଦଳରେ ମିଶୁଛି ପଶୁମାନଙ୍କ ଚର୍ବି । ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ । ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି ।
ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ଜଗନ ପ୍ରଶାସନ ତିରୁପତି ପ୍ରସାଦରେ ଘିଅ ବଦଳରେ ପଶୁମାନଙ୍କ ଚର୍ବି ବ୍ୟବହାର କରିଥିଲେ । ଏଭଳି କରିବା ଦ୍ୱାରା ଜଗନ ସରକାର କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି । ସେମାନଙ୍କୁ ଲଜ୍ୟା ଲାଗିବା କଥା । ତିରୁପତିର ଶ୍ରୀ ଭେଙ୍କଟଶ୍ଵର ସ୍ୱାମୀ ମନ୍ଦିରରେ ତିରୁପତି ଲଡୁ ଚଢା ଯାଇଥାଏ । ମନ୍ଦିରର ସଂଚାଳନ ତିରୁମଲା ତିରୁପତି ଦେବସ୍ଥାନମ କରିଥାଏ । ଚନ୍ଦ୍ରବାବୁ ନାଇଡୁ ଏନଡିଏ ବିଧାୟକ ଦଳର ବୈଠକକୁ ସମ୍ବୋଧିତ କରି ଏହି ଦାବି କରିଛନ୍ତି । ସେ କହିଛନ୍ତି, ମନ୍ଦିରରେ ବର୍ତ୍ତମାନ ଶୁଦ୍ଧ ଘିଅର ବ୍ୟବହାର କରାଯାଉଛି, ଯେଉଁଥିରେ ଗୁଣବତ୍ତା ଉନ୍ନତ ରହିଛି ।
ଚନ୍ଦ୍ରବାବୁ ନାଇଡୁଙ୍କ ଏହି ଅଭିଯୋଗରେ ୱାଇଏସଆର କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ପାର୍ଟିର ନେତା ଏବଂ ରାଜ୍ୟସଭା ସାଂସଦ ୱାଇଭି ସୁବା ରଡେ୍ଡୀ ନାଇଡୁଙ୍କ ଉପରେ ତିରୁପତି ମନ୍ଦିରର ପବିତ୍ରତାକୁ କ୍ଷତି ପହଞ୍ଚାଇବାର ଅଭିଯୋଗ ଲଗାଇଛନ୍ତି । ରେଡଡୀ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି, ‘ଚନ୍ଦ୍ରବାବୁ ନାଇଡୁ ତିରୁମଲାର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁମାନଙ୍କ ବିଶ୍ୱାସକୁ ଗଭୀର ଭାବେ ଆଘାତ ପହଞ୍ଚାଇଛି । ତିରୁମଲା ପ୍ରସାଦ ବିଷୟରେ ତାଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁଃଭାଗ୍ୟଜନକ । କୌଣସି ଭଦ୍ର ବ୍ୟକ୍ତି ଏପରି ଶବ୍ଦ ଉଚ୍ଚାରଣ କରିବେ ନାହିଁ କିମ୍ବା ଏପରି ଅଭିଯୋଗ କରିବେ ନାହିଁ ।’
ରାଜନୈତିକ ଲାଭ ଉଠାଇବା ପାଇଁ ଚନ୍ଦ୍ରବାବୁ ନାଇଡୁ ଯେକୌଣସି ସ୍ତରକୁ ଖସିଯାଉଛନ୍ତି । ଭକ୍ତଙ୍କ ଆସ୍ଥାକୁ ମଜବୁତ କରିବା ପାଇଁ ମୁଁ ନିଜ ପରିବାର ସହିତ ତିରୁମାଲା ପ୍ରସାଦକୁ ନେଇ ଭଗବାନଙ୍କ ସାମ୍ନାରେ ଶପଥ କରିବାକୁ ପ୍ରସ୍ତୁତ । କିନ୍ତୁ ଚନ୍ଦ୍ରବାବୁ ନାଇଡୁ କ’ଣ ଏଭଳି କରିବାକୁ ପ୍ରସ୍ତୁତ କି ? ଏହିଭଳି ଲେଖି ସୋସାଲ ମିଡିଆରେ ପ୍ରଶ୍ନ କରିଛନ୍ତି ୱାଇଭି ସୁବା ରଡେ୍ଡୀ ।