ଆସନ୍ତା ୨୧ ତାରିଖ ବୁଧବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଚତୁର୍ଥ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ପୁରାତନ ଛାତ୍ରସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ଏକ ବିବୃତିରେ ଜଣାଇଛନ୍ତି ଯେ, ବାର୍ଷିକ ଉତ୍ସବ ଅବସରରେ ୨୧ତାରିଖ ପୂର୍ବାହ୍ନରେ ବାଣୀବିହାର ପରିସର ସ୍ଥିତ ଅହିଂସା ସ୍ଥଳରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ମହାତ୍ମାଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସେହିଦିନ ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ମୁଖ୍ୟ ଉତ୍ସବ ଆୟୋଜିତ ହେବ । ପୁରାତନ ଛାତ୍ରସଂଘର ସଭାପତି ତଥା ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ୟ ଆଇନ, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗଦେବେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଦୁଇ ପୂର୍ବତନ ମନ୍ତ୍ରୀ ତଥା ପୁରାତନ ଛାତ୍ରସଂଘର ଉପଦେଷ୍ଟା ଅରୁଣ ସାହୁ ଓ ପ୍ରସାଦ ହରିଚନ୍ଦନ ଏବଂ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେବେ । ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗଦେଇ ଉତ୍ସବକୁ ସଫଳ କରିବାକୁ ପୁରାତନ ଛାତ୍ରସଂଘର ସମ୍ପାଦକ ଶ୍ରୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି ।