Sunstar TV :
ମାଟିତଳେ କୁଢ କୁଢ ମୃତଦେହ । ଏବେ ସୁଧା ବାହାରିଲାଣି ତିନି ଶହରୁ ଅଧିକ ମୃତଦେହ । ବାହାରୁଛି ଖଣ୍ଡ ଖଣ୍ଡ ହୋଇ ହାତ, ଗୋଡ । ରାତି ପାହିଲେ ଯେମିତି ଭୟ ଗୋଡାଇ ଆସୁଛି । ଛାତି ଥରାଇ ଦେଉଛି କେରଳର ଭୟଙ୍କର ଭୂସ୍ଖଳନ । ଗତ ୩୦ ଜୁଲାଇରେ କେରଳ ୱାୟନାଡରେ ପ୍ରକୃତି ଯେଉଁ ତାଣ୍ଡବ ରଚିଥିଲା ସେଥିରେ ଏଯାବତ ୩୦୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୪ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମାଟି ତଳେ ଫସି ରହିଛନ୍ତି ୨୦୦ରୁ ଅଧିକ ଲୋକ । ସେମାନଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡିଛନ୍ତି ଭାରତୀୟ ସେନା ।
ତେବେ ଏହାରି ଭିତରେ ମଲଓ୍ବେ ଅଞ୍ଚଳର ୪ ଜଣଙ୍କୁ ପଦାବେଟ୍ଟୀ କୁନ୍ନୁ ଅଞ୍ଚଳରୁ ଜୀବିତ ଉଦ୍ଧାର କରାଯାଇଛି । ସେପଟେ ଏହି ଭୟାବହ ଘଟଣାରେ ଏପର୍ଯ୍ୟନ୍ତ ୩୦୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୫ ଜଣଙ୍କର ମୃତଦେହ ମିଳିବା ସହିତ ସେମାନଙ୍କର ପୋଷ୍ଟମର୍ଟମ କରାଯାଇଛି । ହେଲେ ଆଉ ୧୦୫ ଲୋକଙ୍କ ମୃତଦେହ ମିଳିନଥିବା ବେଳେ ସେମାନଙ୍କ ଶରୀରର କିଛି କିଛି ଅଂଶ ମିଳିଥିବାରୁ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ।
ତେବେ ଏହି ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଥିବା ବେଳେ ଏଥିରେ ଦିନ ରାତି ଏକାଠି କରି ଭାରତୀୟ ସେନା, ବାୟୁସେନା ଓ ନୌସେନାର ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ତେବେ ଏହି ଭୟଙ୍କର ଦୁର୍ଦ୍ଦଶା ପଛର କାରଣ କଣ ? ୨୦୧୮ର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କେରଳ ଭୋଗିଥିବା ଦୁର୍ଦ୍ଦଶାକୁ ମନେ ପକାଇ ଦେଇଛି ୱାୟନାଡ୍ ଭୂସ୍ଖଳନ । ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ୱାୟନାଡ୍ ବିପର୍ଯ୍ୟୟ ରାଜ୍ୟର ବଡ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି ।
ପଶ୍ଚିମଘାଟ ପର୍ବତମାଳାରେ ଥିବା କେରଳର ଅଧିକାଂଶ ଜିଲ୍ଲା ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଥାନ୍ତି । ଏଥିପାଇଁ ରାଜ୍ୟର ଭୌଗଳିକ ସ୍ଥିତି ନା ଅନ୍ୟ କୌଣସି କାରଣ ଦାୟୀ । ଏଥିପାଇଁ ଅନେକ କାରଣକୁ ଦାୟୀ କରାଯାଇପାରେ । ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଅଞ୍ଚଳ ଓ ବନାଞ୍ଚଳ ହ୍ରାସ ଭଳି କାରଣ ହିଁ ୱାୟନାଡ ଓ ଅନ୍ୟ ଜିଲ୍ଲାରେ ବିନାଶକାରୀ ଭୂସ୍ଖଳନର କାରଣ ବୋଲି ପରିବେଶବିତ କହନ୍ତି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ପକ୍ଷରୁ ଗତବର୍ଷ ଜାରି ସୂଚନା ଅନୁସାରେ ଭାରତରେ ଭୂସ୍ଖଳନ ପ୍ରବଣ ୩୦ ଜିଲ୍ଲା ମଧ୍ୟରୁ କେବଳ କେରଳରେ ରହିଛି ୧୦ଟି ଜିଲ୍ଲା । ଆଉ ୱାୟନାଡ ଏହି ସୂଚୀରେ ୧୩ତମ ସ୍ଥାନରେ ରହିଛି । କେରଳ ସମେତ ତାମିଲନାଡୁ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ପଶ୍ଚିମଘାଟ ଓ କୋଙ୍କଣ ପର୍ବତମାଳା ଅଞ୍ଚଳରେ ଅବସ୍ଥିତ ।
କେରଳର ପଶ୍ଚିମଘାଟ ଘନଜଙ୍ଗଲରେ ଭରପୂର ଥିଲା । ଜଙ୍ଗଲ ସଫା କରି ବ୍ୟାପକ ପରିମାଣରେ ରବର ଚାଷ କରାଯାଉଛି । ରବର ଗଛର ମୃତ୍ତିକା ସଂରକ୍ଷଣ ଶକ୍ତି କମ୍ ବୋଲି ପରିବେଶବିତମାନେ କହିଛନ୍ତି । ଏହାସହ ସ୍ପର୍ଶକାତର ଅଞ୍ଚଳରେ ବେଲଗାମ ନିର୍ମାଣ କରାଯାଉଛି । ବନାଞ୍ଚଳ ହ୍ରାସ ପାଇବା ସହ ଭୂସ୍ଖଳନ ବୃଦ୍ଧି ପାଇଛି ।
କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂଖ୍ଖଳନ ମାନବକୃତ । ହିମାଳୟ ପରେ ପଶ୍ଚିମଘାଟ ହେଉଛି ଦେଶର ଦ୍ୱିତୀୟ ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ । ପଶ୍ଚିମଘାଟ ଅଞ୍ଚଳକୁ ଏଯାଏଁ ଜୈବ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇନାହିଁ । ଏ ଦିଗରେ କେରଳ ଓ କର୍ଣ୍ଣାଟକ ସରକାର କୌଣସି ଆଗ୍ରହ ଦେଖାଇନାହାନ୍ତି । ଜୈବ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଗଲେ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବ ବୋଲି ଯୁକ୍ତି ଦର୍ଶାଯାଉଛି । ଏଭଳି ଉଦାସୀନତାର ଭୟାବହ ପରିଣାମ ଭୋଗିବାକୁ ପଡୁଛି । ୱାୟନାଡ ଟ୍ରାଜେଡି ଏହାର ସଦ୍ୟ ଉଦାହରଣ ।