Sunstar Tv
NASA: ଅଗଷ୍ଟରେ ଫେରିବେ ସୁନୀତା ! ସୁନୀତା ୱିଲିୟମସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ବଡ଼ ଯୋଜନା।
ଗୋଟିଏ ପଟେ ଖରାପ ମହାକାଶ ଯାନ ‘ବୋଇଂ ଷ୍ଟାର ଲାଇନର’ର ମରାମତି ପାଇଁ ଉଦ୍ୟମ କରାଯାଉଛି । ଅନ୍ୟପଟେ ଅନ୍ୟ ବିକଳ୍ପ କଥା ମଧ୍ୟ ଚିନ୍ତା କରୁଛି ନାସା ।
ଯଦି ବୋଇଂ ‘ଷ୍ଟାରଲାଇନର’ରେ ଥିବା ତ୍ରୁଟିକୁ ସୁଧରା ନଯାଏ, ତେବେ ଅନ୍ୟ ଏକ ମହାକାଶ ଯାନ ପଠାଇ ସୁନୀତା ୱିଲିୟମସ ଓ ବଚ୍ ୱିଲମୋରଙ୍କୁ ସୁରକ୍ଷିତ ପୃଥିବୀକୁ ଫେରାଇ ଅଣାଯିବ ।
ଏ କ୍ଷେତ୍ରରେ ନାସା ପାଖରେ ଦୁଇଟି ବିକଳ୍ପ ରହିଛି । ଗୋଟିଏ ହେଉଛି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେଶ ଏକ୍ସର ‘କ୍ର୍ୟୁ ଡ୍ରାଗନ୍’ କ୍ୟାପସୁଲ୍, ଅନ୍ୟଟି ହେଉଛି ରୁଷିଆର ‘ସୋୟୁଜ’ କ୍ୟାପସୁଲ୍ ।
କିନ୍ତୁ ନାସା, ସୋୟୁଜ ଅପେକ୍ଷା ଏଲନ୍ ମସ୍କଙ୍କ ସ୍ପେଶ ଏକ୍ସ ‘କ୍ର୍ୟୁ ଡ୍ରାଗନ୍’କୁ ଅଧିକ ଭରସା କରୁଛି । କାରଣ ଅଗଷ୍ଟ ୧୮ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଡ଼ାଣ ଭରିବାକୁ ଯାଉଛି ସ୍ପେଶ ଏକ୍ସ କ୍ର୍ୟୁ ଡ୍ରାଗନ୍। ଯେଉଁଥିରେ ୪ ଜଣ ମହାକାଶଚାରୀ ଯିବେ। ଏହି ୪ ଜଣଙ୍କ ଭିତରେ ଅଛନ୍ତି ୩ ଜଣ ଆମେରିକୀୟ ଓ ଜଣେ ରୁଷୀୟ ମହାକାଶଚାରୀ ।
ସୁନୀତାଙ୍କୁ ଆଣିବ ସ୍ପେଶ ଏକ୍ସ ‘କ୍ର୍ୟୁ ଡ୍ରାଗନ୍’
ସ୍ପେଶ ଏକ୍ସ କ୍ର୍ୟୁ ଡ୍ରାଗନର ଏହା ହେଉଛି ନବମ ଉଡ଼ାଣ। ଏହାର ଯାତ୍ରୀ ହେବେ ଆମେରିକୀୟ ମହାକାଶଚାରୀ ଜିନା କାର୍ଡମାନ୍, ନିକ୍ ହେଗ୍ୟୁ, ଷ୍ଟିଫାଇନ ୱିଲସନ୍ ଓ ରୁଷିଆର କସମୋନଟ୍ ଅଲେକ୍ସଜାଣ୍ଡାର ଗୋରବୁନୋଭ । ମହାକାଶଚାରୀ ବଦଳ କାର୍ଯ୍ୟକ୍ରମ ଅଧୀନରେ ଏମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ ।
ସେମାନେ ସେଠାରେ ରହି ନୂଆ ଗବେଷଣାରେ ସାମିଲ ହେବେ । ଏହା ହେଉଛି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ନିୟମିତ ପ୍ରକ୍ରିୟା। ୪ ମହାକାଶଚାରୀଙ୍କୁ ଆଇଏସଏସରେ ଛାଡ଼ିବା ପରେ ପୂର୍ବରୁ ସେଠାରେ ରହୁଥିବା କିଛି ମହାକାଶଚାରୀଙ୍କୁ ଧରି ପୃଥିବୀକୁ ଫେରିବ ସ୍ପେଶ ଏକ୍ସ ‘କ୍ର୍ୟୁ ଡ୍ରାଗନ’ ।
ଆଶା କରାଯାଉଛି ଯଦି ବୋଇଂ ଷ୍ଟାରଲାଇନର କାମ ନକରେ ତେବେ ସ୍ପେଶ ଏକ୍ସର ସଟଲରେ ଫେରିପାରନ୍ତି ସୁନୀତା ୱିଲିୟମସ ଓ ବଚ୍ ୱିଲ୍ମୋର । ତେବେ ଏନେଇ ନାସା କିମ୍ବା ବୋଇଂ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଏଯାଏ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ନେଇ କୌଣସି ନୂଆ ତାରିଖ ମଧ୍ୟ ଘୋଷଣା କରିନାହିଁ ନାସା । ନାସାର କମର୍ସିଆଲ କ୍ର୍ୟୁ ପ୍ରୋଗ୍ରାମ ମ୍ୟାନେଜର ଷ୍ଟିଫ ଷ୍ଟିଚ୍ କହିଛନ୍ତି, ସୁନୀତା ୱିଲିୟମସଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ବର୍ତ୍ତମାନ କୌଣସି ନୂଆ ତାରିଖ ଘୋଷଣା କରିବାକୁ ମିଶନ ମ୍ୟାନେଜରମାନେ ପ୍ରସ୍ତୁତ ନାହାନ୍ତି ।
ଯେପର୍ଯ୍ୟନ୍ତ ବୋଇଂ ଷ୍ଟାରଲାଇନରର ତ୍ରୁଟି ସୁଧରା ନଯାଇଛି ଓ ସବୁକିଛି ସ୍ବାଭାବିକ ନହୋଇଛି ସେପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ ତାରିଖ ଘୋଷଣା କରାଯିବ ନାହିଁ । ଅନ୍ୟପଟେ ନାସା ଏହାର ବିକଳ୍ପ ମଧ୍ୟ ଚିନ୍ତା କରୁଛି । ଏକ୍ଷେତ୍ରରେ ‘ସ୍ପେଶ ଏକ୍ସ କ୍ର୍ୟୁ ଡ୍ରାଗନ’ କ୍ୟାପସୁଲକୁ ମଧ୍ୟ ବିଚାରକୁ ନିଆଯାଇପାରେ ।
୮ ଦିନ ପାଇଁ ଯାଇଥିଲେ ୫୦ରୁ ଅଧିକ ଦିନ ରହିଲେଣି
ବୋଇଂ ଷ୍ଟାରଲାଇନର ଏହା ଥିଲା ପ୍ରଥମ ହ୍ୟୁମାନ ଟେଷ୍ଟ ଡ୍ରାଇଭ । ପ୍ରଥମ ଥର ପାଇଁ ଏହା ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲା। ଜୁନ୍ ୫ ତାରିଖରେ ଆଇଏସଏସ ଅଭିମୁଖେ ଉଡାଣ ଭରିଥିଲେ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର । ଜୁନ ୬ ତାରିଖରେ ଆଇଏସଏସରେ ପହଞ୍ଚିଥିଲା ବୋଇଂ ଷ୍ଟାରଲାଇନର ।
ଏହି ମିଶନର ଅବଧି ଥିଲା ମାତ୍ର ୮ ଦିନ। ଜୁନ ୧୩ରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥାନ୍ତା ବୋଇଂ ଷ୍ଟାରଲାଇନର। ମାତ୍ର ଆଇଏସଏସରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ, ଷ୍ଟାର ଲାଇନର ଥ୍ରଷ୍ଟରରେ ରହିଛି ସମସ୍ୟା । ସବୁଠାରୁ ଗୁରୁତର ସମସ୍ୟା ହେଲା ହିଲିୟମ ଲିକ୍। ଏମିତି କି ଏହାର ପ୍ରପଲସନ ମଡ୍ୟୁଲର ଭାଲଭରେ ଦେଖା ଦେଇଥିଲା
ଏହିଭଳି ଏକାଧିକ କାରଣ ପାଇଁ ବୋଇଂ ଷ୍ଟାରଲାଇନର ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖିଛି ନାସା। ପ୍ରଥମେ ୪୫ ଦିନ ପରେ ଏହାକୁ ବଢାଇ ୯୦ ଦିନ କରାଯାଇଛି। ଯେଉଁଥି ପାଇଁ ମହାକାଶରେ ଫସି ରହିଛନ୍ତି ସୁନୀତା ୱିଲିୟମସ୍।