Sunstar TV
୧୭ବର୍ଷର ପ୍ରେମ
୧୦ ବର୍ଷ ତଳେ ସଫଳ ହେଲା
ଦୁଇ ପରିବାରର ସମ୍ମତିରେ ପ୍ରେମିକା ଜଣକ ପ୍ରେମିକ ହାତରୁ ସିନ୍ଦୁର ପିନ୍ଧି ସାତ ଜନ୍ମର ସାଥି ହେଲେ, ଦୁହିଁଙ୍କର ଝିଅ ଟିଏ ହେଲେ ତାକୁ ଏବେ ଆଠ ବର୍ଷ ସ୍କୁଲରେ ପଢୁଛି। ସବୁ କିଛି ଠିକ୍ ଠାକ୍ ଥିଲା । ଏଇ କିଛି ଦିନ ତଳେ ତଳେ ସ୍ତ୍ରୀ ଜଣଙ୍କୁ ପୁଣି ଟ୍ରାଫିକ୍ ରେ ଗୋଟେ ଯୁବକକୁ ଦେଖି ତା ନଜରରେ ଏମିତି ଘାଇଲା ହେଲେ ଯେ ତାଙ୍କୁ ପ୍ରେମ ଜର ଜୋର୍ ଧରିଲା । ମହିଳା ଏବେ ଆଉ ଜଣଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଛନ୍ତି ଯେ ସ୍ୱାମୀ ଓ ୮ବର୍ଷର ଝିଅର ମୁହଁକୁ ବି ଚାହୁଁନାହାନ୍ତି । ପ୍ରେମିକ ସହିତ ରହିବାକୁ ତାଙ୍କ ଜିଦ୍ ଆଗରେ ହାର ମାନିଛନ୍ତି ସ୍ୱାମୀ, ପରିବାର ଓ ପ୍ରେମିକଙ୍କ ପରିବାର । ଏପରିକି ପୁଲିସ ମଧ୍ୟ ବୁଝାଇ ବୁଝାଇ ନୟାନ୍ତ ହୋଇଛି ।
ଶେଷରେ ପ୍ରେମୀ ଯୁଗଳ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଚରା ସ୍ୱାମୀ ନିରାଶ ହୋଇ ଘରକୁ ଫେରିଛନ୍ତି । ବାଲିଅନ୍ତା ଥାନାରେ ରବିବାର ସନ୍ଧ୍ୟାରେ ଏକ ପ୍ରେମୀ ଯୁଗଳଙ୍କ ଏଭଳି ହାଇଡ୍ରାମା ଚର୍ଚ୍ଚାର ବିଷୟ ହୋଇଛି ।
ବାଲିଅନ୍ତା ଅଣ୍ଡିଲୋ ଗ୍ରାମର ପୁଷ୍ପାଞ୍ଜଳି (ଛଦ୍ମନାମ) ବେଣ୍ଟପୁର ଗ୍ରାମର ଜଣେ ଯୁବକଙ୍କୁ ୧୦ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୮ବର୍ଷ ବୟସର ଏକ ଝିଅ ଅଛି । ତେବେ ପୁଷ୍ପାଞ୍ଜଳି ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଗତ ୬ଦିନ ହେଲା ତାଙ୍କ ସହ ଫେରାର ହୋଇଯାଇଥିଲେ । ଏନେଇ ୨୨ ତାରିଖରେ ପୁଷ୍ପାଞ୍ଜଳି ଓ ସମ୍ପୃକ୍ତ ଯୁବକଙ୍କ ପରିବାର ପକ୍ଷରୁ ବାଲିଅନ୍ତା ଥାନାରେ ପୃଥକ ଅଭିଯୋଗ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଉଭୟ ପ୍ରେମ ପାଇଁ ଘର ଛାଡ଼ି ପଳାଇଥିବା ଜାଣିବାକୁ ପାଇଥିଲା । ରବିବାର ପ୍ରେମୀ ଯୁଗଳ ଥାନାରେ ଆସି ଆତ୍ମସମର୍ପଣ କରିଥିଲେ । ତେଣୁ ପୁଲିସ ଉଭୟଙ୍କ ପରିବାରକୁ ଥାନାକୁ ଡକାଇଥିଲା। ଉଭୟଙ୍କ ପରିବାର, ସରପଞ୍ଚ, ଗାଁର କେତେଜଣ ମୁରବୀ ଶ୍ରେଣୀର ଲୋକ ଥାନାରେ ପହଞ୍ଚିଥିଲେ । ଥାନା ଆଗରେ ଏକ କାରରେ ପ୍ରେମୀ ଯୁଗଳ ବସିଥାନ୍ତି । ମହିଳା ଓ ଯୁବକଙ୍କ ପରିବାର ଲୋକେ ଉଭୟଙ୍କୁ ବୁଝାଇବାକୁ ଲାଗିଥାନ୍ତି । ସେମାନଙ୍କୁ ଦେଖିବାକୁ ଥାନାକୁ ଅନ୍ୟ କାମରେ ଆସିଥିବା ଲୋକମାନେ ଭିଡ଼ ଜମାଇଥାନ୍ତି । କିନ୍ତୁ ମହିଳାଙ୍କ ଗୋଟିଏ ଜିଦ୍ ପ୍ରେମ ପାଇଁ ପରିବାର ଛାଡ଼ିଛି । ଆଉ ଘରକୁ ଫେରିବି ନାହିଁ । ମୋର ସ୍ୱାମୀ କିମ୍ବା ଝିଅ ଦରକାର ନାହିଁ । ପ୍ରେମିକ ମୋ ପାଇଁ ସବୁକିଛି । ପ୍ରେମିକଠାରୁ ଅଲଗା କଲେ ଏଇଠି ଆତ୍ମହତ୍ୟା କରିଦେବି ।
ଏହା ଶୁଣି ସମସ୍ତଙ୍କ ବୁଦ୍ଧିଶୂନ୍ୟ ହୋଇଗଲା । ସେପଟେ ମା’କୁ ଝୁରି ଝୁରି ମହିଳାଙ୍କ ଝିଅ ଖାଇବା ଛାଡ଼ି ଦେଇଛି । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । କିଛି ସମୟ ପରେ ମହିଳାଙ୍କ ମା’ ଓ ଭାଇ ପହଞ୍ଚି ଥାନା ପାଶ୍ୱର୍ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ, ମୁରବୀ, ମହିଳାଙ୍କ ସ୍ୱାମୀ, ପ୍ରେମୀ ଯୁଗଳ, ଉଭୟଙ୍କ ବାପା, ମା’ଙ୍କୁ ଏକାଠି ବସାଇ ପୁଣି ଥରେ ବୁଝାଇଥିଲେ । ଦୁହେଁ ସମସ୍ତଙ୍କ କଥା ମାନି ଉଭୟ ପରିବାର ପାଖକୁ ଫେରିଯିବେ ବୋଲି ରାଜି ହୋଇଗଲେ । ହେଲେ ଲେଖାପଢ଼ା କରି ନିଷ୍ପତ୍ତି କରିବାକୁ କଥା ଉଠିବାରୁ ଦୁହିଁଙ୍କ ମନ ପୁଣି ବଦଳିଯାଇଥିଲା । ଉଭୟ ପରସ୍ପରକୁ ଛାଡ଼ି ରହିପାରିବେନି ବୋଲି ଥାନା ବାବୁଙ୍କୁ କହିଥିଲେ । ମହିଳା ଓ ଯୁବକଙ୍କୁ ମହିଳାଙ୍କ ଭାଇ ହାତ ଉଠାଇବା ସହ ତାଗିଦ୍ କରିଥିଲେ । ତେବେ ପୁଲିସ ବାବୁ ଥାନା ବାହାରକୁ ଆସି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ସେପଟେ ଯୁବକଙ୍କୁ ତାଙ୍କ ବାପା, ମା’ ଗ୍ରହଣ କରିବେନି ବୋଲି ରୋକଠୋକ୍ କହିଥିଲେ । ଏହା ସତ୍ତେ୍ୱ ପ୍ରେମୀଯୁଗଳ ଘରଛାଡ଼ି ବାହାରେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଶେଷରେ ଏତେସବୁ ଦୃଶ୍ୟ ଦେଖି ଭାଙ୍ଗିପଡ଼ିଥିବା ସ୍ୱାମୀ ଜଣଙ୍କ ନିରାଶ ହୋଇ ଘରକୁ ଫେରିଥିଲେ।