SunstarTV
ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ବର୍ଷା ହେତୁ ପୁରୁଣା ରାଜେନ୍ଦ୍ର ନାଗରର ରାଓ ଆଇଏଏସ୍ କୋଚିଂ ସେଣ୍ଟରର ତଳ ମହଲାରେ ପାଣି ପଶିଯିବା କାରଣରୁ ୩ ଜଣ ବିଦ୍ୟାର୍ଥୀଙ୍କର ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ସନ୍ଧ୍ୟା ୭ ଟାରେ ସୂଚନା ପାଇବା ପରେ ଏନଡିଆରଏଫକୁ ଡକାଯାଇଥିଲା।
ସୂଚନା ମୁତାବକ ପ୍ରବଳ ବର୍ଷା ଯୋଗୁ ଶନିବାର ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସ୍ମେଣ୍ଟରେ ହଠାତ୍ ବହୁତ ପାଣି ପଶିଯିବା ଯୋଗୁ ୩ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau’s ଆଇଏଏସ୍ ଷ୍ଟଡି ସର୍କଲରେ ଏହି ଘଟଣା ଘଟିଛି।
ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀ ଅଛନ୍ତି। ସେମାନେ ହେଉଛନ୍ତି- ନବୀନ ଦଲୱାନି (୨୮), ତାନିଆ ସୋନି (୨୫) ଓ ଶ୍ରେୟା ଯାଦବ (୨୫)। ଏହି ଘଟଣାରେ ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି।
କୋଚିଂ ସେଣ୍ଟରଟି ଯେଉଁ କୋଠାରେ ଚାଲିଛି, ତା’ର ବେସ୍ମେଣ୍ଟରେ ଏକ ଲାଇବ୍ରେରୀ ରହିଛି। ଗତକାଲି ସନ୍ଧ୍ୟାରେ କିଛି ଯୁବକଯୁବତୀ ସେଠାରେ ପଢ଼ାପଢ଼ି କରୁଥିବା ବେଳେ ହଠାତ୍ ବହୁମାତ୍ରାରେ ପାଣି ପଶି ଆସିଥିଲା। ଫଳରେ ସେମାନେ ସେଠାରେ ଫସି ଯାଇଥିଲେ। ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ତେବେ ତାନିଆ, ଶ୍ରେୟା ଓ ନବୀନଙ୍କ ପତ୍ତା ମିଳି ନଥିଲା।
ଦମକଳ ବାହିନୀର ଜଣେ ଅଧିକାରୀ କହିଛନ୍ତି, ଆମେ ଏଠାରେ ଆସି ପହଞ୍ଚିଲା ବେଳକୁ ପୂରା ବେସ୍ମେଣ୍ଟରେ ପାଣି ଭର୍ତ୍ତି ହୋଇରହିଥିଲା। ଦମକଳ ବାହିନୀ, ଦିଲ୍ଲୀ ପୁଲିସ୍ ଓ ଏନ୍ଡିଆରଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ କରି ଉକ୍ତ ନିଖୋଜ ଛାତ୍ରଛାତ୍ରୀଙ୍କ ମୃତଦେହ ପାଇଥିଲେ।
ଦିଲ୍ଲୀ ସରକାର ଏହି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ‘ଏକ୍ସ’ ଯୋଗେ ଏହି ସୂଚନା ଦେଇଛନ୍ତି। ଏହା ସହିତ ଏହି ଘଟଣା ଯିଏ ବି ଦୋଷୀ ହୋଇଥିବେ, ତାଙ୍କୁ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି।