SunstarTV
ପ୍ୟାରିସ୍ ଅଲିମ୍ପିକ୍ସ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏହି ଉଦ୍ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ ନଈ ମଝିରେ ଅନୁଷ୍ଠିତ ହେବ। ଏଥିଲାଗି ପ୍ୟାରିସ୍ର ସେନ୍ ନଦୀ ଭିତରେ ଓ କୂଳରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଂଶଗ୍ରହଣକାରୀ ଦେଶଙ୍କ ପାରମ୍ପରିକ ପରେଡ୍ ପ୍ୟାରିସ୍ ଛାତିରେ ବହି ଯାଉଥିବା ସେନ୍ ନଈର ନୀଳ ଜଳରେ ପୂର୍ବରୁ ପଶ୍ଚିମ ୬ କିଲୋମିଟର ଧରି ଦେଖିବାକୁ ମିଳିବ।
୧୦,୦୦୦ରୁ ଅଧିକ ଖେଳାଳି ୧୦୦ଟି ନୌକାରେ ବସି ନତ୍ରେ ଡେମ୍, ପଣ୍ଟ ଡେସ୍ ଆର୍ଟସ, ପଣ୍ଟ ନିଉଫ୍ ଭଳି ପ୍ୟାରିସ୍ର ବହୁ ଐତିହାସିକ ସ୍ଥଳୀ ଅତିକ୍ରମ କରିବେ। ନଈର ଦୁଇ ପଟେ ଦର୍ଶକ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଖେଳାଳିଙ୍କୁ ସ୍ବାଗତ କରିବେ। ଏହି ଭାସମାନ ପରେଡ୍ ଅଲଷ୍ଟର୍ଲିଜ୍ ପୋଲଠାରୁ ଆରମ୍ଭ ହୋଇ ଟ୍ରୋକାଡେରୋଠାରେ ଶେଷ ହେବ। ଟ୍ରୋକାଡେରୋଠାରେ ହିଁ ଅଲିମ୍ପିକ୍ସର ପୁରୁଣା ରୀତିନୀତି ସହ ମନ୍ତ୍ରମୁଗ୍ଧକାରୀ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେବ। ଯାହା ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ।
ସୂଚନା ମୁତାବକ ଉଦ୍ଘାଟନୀ ଉତ୍ସବରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଓ କିଂବଦନ୍ତି ଟେବୁଲ୍ ଟେନିସ୍ ତାରକା ଶରତ କମଲ ଭାରତୀୟ ଦଳର ନେତୃତ୍ବ ନେବେ। ଭାରତୀୟ ପତାକା ଧରିବାରେ ଉଭୟ ନିଜ ନିଜ ଖେଳର ପ୍ରଥମ ଖେଳାଳି ହେବେ। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ମୋଟ ୭ ପଦକ ଜିତିଥିଲା। ଯେଉଁଥିରେ ନୀରଜ ଚୋପ୍ରା ଦେଶକୁ ପ୍ରଥମ ସ୍ବର୍ଣ୍ଣ ଉପହାର ଦେଇଥିଲେ। ଏଥର ଭାରତ ପୂର୍ବ ପ୍ରଦର୍ଶନ ଠାରୁ ଅଧିକ ଭଲ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏଥର ୧୬ଟି ଖେଳର ୬୯ ପଦକ ଲାଗି ଭାରତୀୟ ପ୍ରତିଯୋଗୀ ପ୍ରତିଦ୍ବନ୍ଦ୍ବିତା କରିବେ। ୧୧୨ ଖେଳାଳି ଖେଳିବେ।