Sunstar Tv
Plan Crash: ନେପାଳ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଳିଗଲା ବିମାନ । ବିମାନଟି ଟେକଅଫ୍ କରିବା ସମୟରେ ରନୱେରୁ ଖସିଯିବାରୁ ନିଆଁ ଲାଗିଯାଇଛି । ଏହି ବିମାନରେ ୧୯ଜଣ ଲୋକ ଯାତ୍ରା କରୁଥିଲେ ।
ତେବେ ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିମାନଟି ପୋଖରା ଯାଉଥିଲା । ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣା ଆଜି ସକାଳ ୧୧ଟା ସମୟରେ ଘଟିଥିବା ଜଣାପଡିଛି ।
ଖବର ମୁତାବକ, ଏକ ପ୍ରାଇଭେଟ କମ୍ପାନୀ ସୌର୍ଯ୍ୟର ବିମାନ ୧୯ ଜଣ ଯାତ୍ରୀଙ୍କୁ ଧରି ନେପାଳ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୋଖରା ପାଇଁ ଉଡାଣ ଭରୁଥିଲା । ଉଡାଣ ଭରିବା ସମୟରେ ବିମାନଟି ରନୱେରୁ ଖସିଯାଇଥିଲା ।
ସେଥିରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ସେନା ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମେଡିକାଲ ଟିମ ଠାରୁ ଆରମ୍ଭ କରି ସମସ୍ତ ଜରୁରୀକାଳୀନ ସେବା ଉପସ୍ଥିତ ରହିଛି । ନେପାଳ ସରକାର ରିଲିଫ ଏବଂ ଉଦ୍ଧାର ପାଇଁ ସେନାର ଯବାନଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଜାନୁଆରୀ ୧୫ ତାରିଖରେ ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ୭୨ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିମାନ ଦୁର୍ଘଟଣାରେ ୫୩ ନେପାଳୀ, ୫ ଭାରତୀୟ, ୧୫ ବିଦେଶୀ ନାଗରିକ ଏବଂ କ୍ର୍ୟୁ ମେମ୍ବର ରହିଥିଲେ ।
୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ । ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ବିମାନଟି ରବିବାର ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା । ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା ।