Sunstar TV
ସନଷ୍ଟାର ଟିଭି ବ୍ୟୁରୋ : ୨୦୨୩-୨୪ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫-୭ ପ୍ରତିଶତ ରହିବ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ ବିଶ୍ବର ଆହ୍ବାନପୂର୍ଣ୍ଣ ଭୌଗୋଳିକ ଏବଂ ରାଜନୈତିକ ପରିସ୍ଥିତି ସତ୍ତ୍ବେ ଭାରତର ଅର୍ଥନୀତି ଦୃଢ଼ ରହିଛି। ସରକାରଙ୍କ ଉପଯୁକ୍ତ ବିତ୍ତୀୟ ନୀତି ଓ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କାରଣରୁ କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତି ସୁସଂଗଠିତ ହେବାରେ ଲାଗିଛି। ୨୦୨୪-୨୫ ପରେ ମଧ୍ୟ ଭାରତୀୟ ଅର୍ଥନୀତିର ବିକାଶ ଭଲ ରହିବ। ତେବେ ବିଶ୍ବର ରାଜନୈତିକ ଓ ଭୌଗୋଳିକ ସ୍ଥିତି, ଆର୍ଥିକ ବଜାର ଏବଂ ଜଳବାୟୁଜନିତ ବିପଦ ଉପରେ ଏହା ନିର୍ଭରଶୀଳ ରହିବ। ୨୦୨୩ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ୩.୨ ପ୍ରତିଶତ ରହିଥିବା ସତ୍ତ୍ବେ ଭାରତ ଉଚ୍ଚ ହାରରେ ଆଗକୁ ବଢ଼ିପାରିଛି ବୋଲି ମତ ରଖିଛନ୍ତି ନିର୍ମଳା ସୀତାରମଣ।
ଅନ୍ୟପକ୍ଷରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅନେକ ବିଷୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏଥିରେ କୁହାଯାଇଛି ଯେ ଚାଷୀଙ୍କ ଆୟ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ ହେଉଥିବା ନିବେଶ ଯଥେଷ୍ଟ ନୁହେଁ। କିନ୍ତୁ ଅର୍ଥନୀତିକୁ ଗତି ପ୍ରଦାନ କରିବାରେ ଏବେବି କୃଷି କ୍ଷେତ୍ରର କ୍ଷମତା ରହିଛି। ଯୁବପିଢ଼ିଙ୍କ ଉପରେ ଅସ୍ବାସ୍ଥ୍ୟକର ଖାଦ୍ୟ, ମେଦବହୁଳତା ଓ ସାମାଜିକ ଗଣମାଧ୍ୟମ ଯୋଗୁଁ ମାନସିକ ସ୍ବାସ୍ଥ୍ୟ ନେଇ ମଧ୍ୟ ରିପୋର୍ଟ ସତର୍କ କରାଇଛି। ପାଠପଢ଼ା ଚାପ, ପାରିପାର୍ଶ୍ବିକ ପରିବେଶ ଆଦି କାରଣରୁ ପିଲାମାନେ ବିଷାଦଗ୍ରସ୍ତ ହେବା ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ବୋଲି ଚେତାଇ ଦେଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଦରବୃଦ୍ଧି ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଖରାପ ପାଣିପାଗ ଚାଷ କାମକୁ ବିଗାଡ଼ୁଛି। ଚାଷ ସମୟରେ ପ୍ରବଳ ଖରା, ଅମଳ ସମୟରେ ବର୍ଷା ଫସଲ ନଷ୍ଟ କରୁଛି। ଅତ୍ୟଧିକ ବର୍ଷା ପାଇଁ ଉତ୍ପାଦିତ ସାମଗ୍ରୀ ପରିବହନ ପ୍ରଭାବିତ ହେଉଛି। ଏସବୁ କାରଣ ଲାଗି ପନିପରିବା ଓ ଡାଲି ମହଙ୍ଗା ରହୁଛି।
ମୁଦ୍ରାସ୍ଫିତି ସଂପର୍କରେ ରିପୋର୍ଟ କହିଛି ଯେ ୨୦୨୪-୨୫ରେ ଏହା ୪.୫% ରହିବ ଏବଂ ୨୦୨୫-୨୬ରେ ୪.୧ ପ୍ରତିଶତକୁ ହ୍ରାସ ପାଇ ନିୟନ୍ତ୍ରଣ ମଧ୍ୟରେ ରହିବ। ମୌସୁମୀ ବର୍ଷା ସ୍ବାଭାବିକ ରହିଲେ ଏବଂ କୌଣସି ବାହ୍ୟ ବିପଦ କିମ୍ବା ନୀତିଗତ ଅସ୍ଥିରତା ଦେଖା ନଦେଲେ ଏହି ସୀମା ଡେଇଁବ ନାହିଁ ମୁଦ୍ରାସ୍ଫୀତି। ସେପଟେ ରିପୋର୍ଟରେ କୁହାଯାଇଛି ଯେ ସରକାର ପୁଞ୍ଜିନିବେଶକୁ ଗୁରୁତ୍ବ ଦେଉଥିବା ବେଳେ ଘରୋଇ ନିବେଶ ମଧ୍ୟ ବୃଦ୍ଧି ପାଇଛି। ଏଥିଯୋଗୁ ପୁଞ୍ଜି ସୃଜନ ୨୦୨୩-୨୪ରେ ୯ ପ୍ରତିଶତ ଭଳି ହାରରେ ବଢ଼ିଛି। ୨୦୨୩-୨୪ରେ ଦେଶର ଚଳନ୍ତି ଖାତା ନିଅଣ୍ଟ ଜିଡିପିର ୦.୭ ପ୍ରତିଶତରେ ରହିଛି। ୨୦୨୨-୨୩ରେ ଏହା ଜିଡିପିର ୨ ପ୍ରତିଶତ ରହିଥିଲା। ତେଣୁ ଏ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଭଲ ରହିଛି। ବିଶ୍ବରେ ପରିସ୍ଥିତି ବର୍ତ୍ତମାନ ଯାହା ରହିଛି ସେଥିରେ ବିଭିନ୍ନ ଦେଶ ସହିତ ବାଣିଜ୍ୟ, ନିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ରାଜିନାମା ହାସଲ ସହଜ ନୁହେଁ। ତେଣୁ ଅର୍ଥନୀତିକୁ ଆଗକୁ ନେବାକୁ ହେଲେ ଆମକୁ ଘରୋଇ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସର୍ଭେରେ ସ୍ପଷ୍ଟ କରାଯାଇଛି। ଅର୍ଥନୀତିର ସ୍ବଳ୍ପ ଅବଧି ବିଶିଷ୍ଟ ଦୃଶ୍ୟପଟ ସକାରାତ୍ମକ ଥିଲେ ମଧ୍ୟ ଦୀର୍ଘ ଅବଧି ଦୃଶ୍ୟପଟ ସ୍ପଷ୍ଟ ହେବା ଆବଶ୍ୟକ। ଏଥିପାଇଁ ସରକାରଙ୍କ ପକ୍ଷରୁ ୬ ମୁଖୀ ରଣନୀତି ଗ୍ରହଣ କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି। ସେଗୁଡ଼ିକ ହେଲା ଘରୋଇ ନିବେଶକୁ ବୃଦ୍ଧି, ଏମଏସଏମଇର ସଂପ୍ରସାରଣ, କୃଷିକୁ ଭବିଷ୍ୟତ ଅଭିବୃଦ୍ଧିର ଇଞ୍ଜିନ ଭାବେ ଗ୍ରହଣ କରି ନୀତିରେ ରହିଥିବା ଅସୁବିଧାକୁ ଦୂର କରିବା, ଅର୍ଥନୀତିକୁ ସବୁଜ ଶକ୍ତିଭିତ୍ତିକ କରିବା, ଶିକ୍ଷା-ନିଯୁକ୍ତି ମଧ୍ୟରେ ରହିଥିବା ପାର୍ଥକ୍ୟକୁ ହ୍ରାସ କରିବା ଏବଂ ରାଜ୍ୟଗୁଡ଼ିକର ସାମର୍ଥ୍ୟକୁ ବୃଦ୍ଧି କରିବା ବୋଲି ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଥାଉକି, ଭାରତରେ ଜଳବାୟୁ ପରିବର୍ତ୍ତନ କିଭଳି ସାଂଘାତିକ ସ୍ତରରେ ପହଞ୍ଚିଗଲାଣି, ତାହା ଉପରୁ ପରଦା ଉଠାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ପନିପରିବା ଦାମ୍ ଉଚ୍ଚା ରହିବାର ମୁଖ୍ୟ ଖଳନାୟକ ହେଉଛି ଜଳବାୟୁ ପରିବର୍ତ୍ତନ। ଗତ ଦୁଇ ବର୍ଷ ଭିତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅନିୟମିତ ମୌସୁମୀ ବର୍ଷା, ଅଦିନିଆ ବୃଷ୍ଟିପାତ, କୁଆପଥର ମାଡ଼, ଅବିରତ ବର୍ଷା ଓ ଦୀର୍ଘଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ଜାରି ରହୁଥିବାରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେଥିପାଇଁ ବଜାରରୁ ଜିନିଷ କିଣିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।