SunstarTV
ସୋମବାରଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ବିଧାନସଭାରେ ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସୁରମା ପାଢ଼ୀ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି।
ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ।
ଏହି ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ। କାରଣ, ନୂଆ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ବିଜେଡି। ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଧାନ MSP ୩୧୦୦କୁ ବୃଦ୍ଧି, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି କଥା ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିଜେଡି।
ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଏହା ତାଙ୍କର ବିଧାନସଭାର ପ୍ରଥମ ଅଧିବେଶନ। ସୁରମା ପାଢ଼ୀ ମଧ୍ୟ ବାଚସ୍ପତି ଭାବେ ପ୍ରଥମ ଥର ପାଇଁ କାର୍ଯ୍ୟ କରିବେ। ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।