SunstarTV
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। ଆଜି ସକାଳ ୫ଟାରେ କଟକ SCBରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଏହା ପୂର୍ବରୁ ଗତ ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ । ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ କମଳା ପୂଜାରୀଙ୍କୁ ୭୦ ବର୍ଷ ବୟସ ହୋଇଥିଲା।
ଅସୁସ୍ଥ ହୋଇ ପଡ଼ିଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଗତ ମଙ୍ଗଳବାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯିବା ସହ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ମାତ୍ର ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।
ସୂଚନା ମୁତାବକ କୋରାପୁଟ ଜିଲ୍ଲା ପାତ୍ରପୁଟ ଗ୍ରାମର କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାରର ଧାନ ଉତ୍ପାଦନ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ କମଳା ପୂଜାରୀ ।୨୦୧୯ ମାର୍ଚ୍ଚ ୧୬ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।