SunstarTV
ମୁଖ୍ୟମନ୍ତ୍ରୀ ମୋହନ ମାଝି ପିପୁଲ୍ସ ସିଏମର ଆଉ ଏକ ଉଦାହରଣ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁର ମୁରଲୀଧର ମହାକୁଡ କିଛି ଦିନ ହେବ ନିଜ ଗାଁ ଛାଡି ଯାଇ ମୁମ୍ବାଇରେ ହୋଟେଲରେ କାର୍ଯ୍ୟ କରୁଥିଲେ।
ତାଙ୍କର ସ୍ବାସ୍ଥ୍ୟ ଅସୁସ୍ଥ ଥିଲା । କିନ୍ତୁ ସେ ଏହି କଥା କାହାରି ଆଗରେ କହି ନଥିଲେ । ଆଉ ଅସୁସ୍ଥତା ବଶତଃ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର ଲୋକଙ୍କ ପାଖରେ ମୁରଲୀଧରଙ୍କ ମୃତଦେହ ନିଜ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ସେତେଟା ସମ୍ବଳ ନଥିଲା। ତେଣୁ ଗାଁକୁ ଆଣି କ୍ରିୟା କର୍ମ କରିବା ଲାଗି ପରିବାର ଲୋକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିଛନ୍ତି।
ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ମୃତ ମୁରଲୀଧର ମହାକୁଡଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିକୁ ଫେରିଆସିଛି। ଏପରିକି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଏବଂ ତାଙ୍କ ଝିଅଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ। ଏହା ସହିତ ତାଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ଝିଅ ବର୍ତ୍ତମାନ ପାଠ ପଢ଼ୁଛି ତେଣୁ ସେ ତାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।