SunStarTV
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ। ତା’ପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।
ସୂଚନା ମୁତାବକ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ। ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ ।
ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା।
ମିଳିଥିବା ସୂଚନା ଅନୁସାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ୍ ୬ଥର ସୁନାବେଶ ହୋଇଥାଏ। ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଅବସରରେ ରାଜବେଶ, ରାଜା ରାଜେଶ୍ୱର ଆଦି ବେଶରେ ସଜ୍ଜିତ ହୁଅନ୍ତି। ଏହି ୫ଟି ବେଶ ସିଂହାସନ ଉପରେ ହୁଏ।