Sunstar TV :
ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଦୁର୍ବଳ ସ୍ଥିତିକୁ ଆସିଛି ବିଜେପି ସରକାର । ଶାସକ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ବହୁମତଠାରୁ ୧୨ ପଛରେ । କାରଣ ଆଜିଠୁ ରାଜ୍ୟସଭାରେ ସରିଲା ୪ ସାଂସଦଙ୍କ କାର୍ଯ୍ୟକାଳ । ତଳ ମୁହାଁ ହୋଇଛି ରାଜ୍ୟସଭାରେ ବିଜେପିର ସଂଖ୍ୟା । ବିଜେପି ସାଂସଦଙ୍କ ସଂଖ୍ୟା ରହିଛି ୮୬ । ଏଥର ରାଜ୍ୟସଭାରେ ବିଜେପିର ସଂଖ୍ୟା ୯୦ ତଳକୁ ଖସି ଆସିଛି । କାରଣ ଏଥର ଶେଷ ହୋଇଛି ୪ଜଣ ସାଂସଦଙ୍କ କାର୍ଯ୍ୟକାଳ । ଫଳରେ ଏବେ ବିଜେପିର ସଭ୍ୟ ସଂଖ୍ୟା ରାଜ୍ୟ ସଭାବେ ୮୬ ରହିଛି । ୪୦୦ ପାର ସହ ପ୍ରଚଣ୍ଡ ବହୁମତ ନାରାରେ ଚଳିତ ସାଧାରଣ ନିର୍ବାଚନ ଲଢିଥିବା ‘ଏନଡିଏ’ ବଡ ଝଟକା ପାଇଥିଲା ।
ଲୋକସଭାରେ ମେଣ୍ଟର ମୁଖ୍ୟ ଦଳ ବିଜେପି ନିକଟରେ ଏବେ ୨୪୦ ଆସନ ଓ ସହଯୋଗୀଙ୍କ ସଂଖ୍ୟା ମିଶାଇ ୨୯୩ ରହିଛି । ୨୦୧୯ ନିର୍ବାଚନ ବା ସପ୍ତଦଶ ଲୋକସଭାଠାରୁ କମ ଆସନରେ ରହିଛି ମୋଦି ୩.୦ ସରକାର । ଏବେ ନିମ୍ନ ସଦନ ପରେ ରାଜ୍ୟସଭାରେ ମଧ୍ୟ ଶାସକ ମେଣ୍ଟର ସଂଖ୍ୟା ହ୍ରାସ ପାଇଛି । ବିଜେପି ସମର୍ଥିତ କିଛି ସାଂସଦଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ସଂଖ୍ୟା ୮୬କୁ ଖସିଛି । ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ବହୁମତଠାରୁ ୧୨ ଆସନ ପଛରେ ରହିଛି ଶାସକ ମେଣ୍ଟ ‘ଏନଡିଏ’ ।
ତେବେ ରାଜ୍ୟସଭାରେ ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ରହିଛି ୮୭ । ସେମଧ୍ୟରୁ ମୁଖ୍ୟ ବିରୋଧୀ କଂଗ୍ରେସ ନିକଟରେ ୨୬ ଆସନ, ମମତାଙ୍କ ତୃଣମୂଳ କଂଗ୍ରେସ ନିକଟରେ ୧୩ ଆସନ, ଦିଲ୍ଲୀ ଓ ତାମିଲନାଡୁରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଓ ଡିଏମକେ ନିକଟରେ ୧୦ ଲେଖାଏଁ ସଦସ୍ୟ ରହିଛନ୍ତି । ଅବଶିଷ୍ଟ ସଦସ୍ୟ ଦୁଇ ମେଣ୍ଟରେ ଅନ୍ତର୍ଭୁକ୍ତ ହୋଇନଥିବା କିଛି ଦଳଙ୍କ ନିକଟରେ ରହିଛି । କେସିଆରଙ୍କ ଭାରତ ରାଷ୍ଟ୍ର ସମିତି, ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ କିଛି ସ୍ବାଧୀନ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି ।
ସେପଟେ ସଦସ୍ୟଙ୍କ ସଂଖ୍ୟା କମ ହେଲେ ମଧ୍ୟ ମୋଦି ସରକାରଙ୍କ ଉପରେ ବେଶ କିଛି ପ୍ରଭାବ ପଡିବ ନାହିଁ । କାରଣ ମୋଦିଙ୍କ ଚାରି ପାଖେ ରହିଛନ୍ତି ଜଗନମୋହନ ରେଡିଙ୍କ ପାର୍ଟିର ୧୧ଜଣ ସଭ୍ୟ ମୋଦିଙ୍କୁ ପୂର୍ବ ଭଳି ସହଯୋଗ କରିବେ ବୋଲି ସମ୍ଭାବନା ରହିଛି । ତେଣୁ ରାଜ୍ୟ ସଭାରେ କୌଣସି ବିଲ୍ ଆସିଲେ ଏହାକୁ ଅନୁମୋଦନ କରିବାରେ ମଧ୍ୟ କିଛି ଅସୁବିଧା ହେବନି । ତେବେ କେଉଁ ସାଂସଦଙ୍କ ସରିଛି କାର୍ଯ୍ୟକାଳ ଏବେ ଜାଣନ୍ତୁ । ରାଜ୍ୟସଭା ସାଂସଦ ରାକେଶ ସିହ୍ନା, ରାମ ଶକାଲ, ସୋନାଲ ମାନସିଂହ ଓ ମହେଶ ଜେଠମାଳିନୀଙ୍କ କାର୍ୟ୍ୟକାଳ ଶେଷ ହୋଇଛି ।
ଏହି ୪ ସଦସ୍ୟ ସରକାରୀ ଦଳର ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ବାରା ଗୃହକୁ ମନୋନୀତ ହୋଇଥିଲେ । ସେମାନେ ବିଜେପି ସରକାରରେ ସମସ୍ତ ଆବଶ୍ୟକତାରେ ସହଯୋଗ ମଧ୍ୟ କରିଥିଲେ । ତେବେ ଏହି ଅବସର ପରେ ବିଜେପିର ସଂଖ୍ୟା ୮୬କୁ ହ୍ରାସ ପାଇଥିବା ବେଳେ ‘ଏନଡିଏ’ ମେଣ୍ଟର ସଦସ୍ୟ ସଂଖ୍ୟା ୧୦୧କୁ ଖସିଛି ।