SunstarTV
ଆସୁଛି ଦୁଇଟି ଲଘୁଚାପ । ରଥଯାତ୍ରା ପରି ଏଥର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶରେ ପ୍ରବଳ ବର୍ଷା ହେବ।ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ କାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେଇଛି । ଯାହାସୂଚନା ମିଳୁଛି ଆଜିଠାରୁ ବର୍ଷାର ପ୍ରଭାବ ଓ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଲଘୁଚାପ ଯୋଗୁଁ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ରବିବାର ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ରବିବାର ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୧୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୧୬ରେ ଏହି ଲଘୁଚାପ ଓଡ଼ିଶାରୁ ରାୟପୁର ପର୍ଯ୍ୟନ୍ତ ବିସ୍ତୃତି ଏବଂ ୧୭ରେ ମଧ୍ୟପ୍ରଦେଶ ମୁହାଁଇପାରେ। ୧୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସଂଲଗ୍ନ ସମୁଦ୍ରରେ ବର୍ଷା ହେବାକୁ ଥିବା ବେଳେ ୨୧ରେ ଉତ୍ତର ଓଡ଼ିଶାରେ ଏବଂ ୨୨ରେ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ। ଫଳରେ ଦୁଇଟି ଯାକ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ।