SunstarTV
ଦୀର୍ଘ ୪୬ ବର୍ଷ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ଖୋଲିବ। ଦିନ ୧ .୨୮ଟା ଶୁଭ ସମୟ ଆସୁଛି। ତେଣୁ ଦିନ ୧ .୨୮ରେ ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି ସମୟପରେ ଭଣ୍ଡାର ଖୋଲିବ। ତେବେ ଏହା ପୂର୍ବରୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ପ୍ରଥମେ ରତ୍ନଭଣ୍ଡାରର ରକ୍ଷକ ପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା ଓ ମା’ ବିମଳାଙ୍କ ପାଖରେ ଗୁଆ ଟେକା ପରେ ରତ୍ନଭଣ୍ଡାର ଖୋଲାଯିବ।
ଯାଂଚ କମିଟିର, ୨ ସଦସ୍ୟ, ଜିଲ୍ଲାପାଳ, ଏଏସଆଇ ଟିମ୍, ଭଣ୍ଡାର ମେକାପ, ତଡ଼ଉକରଣ ଓ ତାଲା ଭଙ୍ଗା ଟିମ୍ ମଧ୍ୟ ଯିବେ । ସ୍ନେକ ହେଲପଲାଇନ୍ ଓ ମେଡିକାଲ ଟିମ୍ ସଦସ୍ୟଙ୍କୁ ଷ୍ଟାଣ୍ଡବାଇରେ ରଖାଯିବ। ଆବଶ୍ୟକ ପଡ଼ିଲେ ସେମାନେ ଭିତରକୁ ଯାଇପାରନ୍ତି। ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ଖୋଲାଯିବ । ସେଥିପାଇଁ ତାଲା ଭଙ୍ଗା ଟିମକୁ ମଧ୍ୟ ଡକାଯାଇଛି। ଚାବି କଥା ଆଉ ପ୍ରସଙ୍ଗ ହୋଇ ରହିନାହିଁ ।
ରତ୍ନଭଣ୍ଡାର ଖୋଲିବା ସମୟରେ ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ସେମାନଙ୍କୁ ଯାଞ୍ଚ କରାଯିବ।